ବୌଦ୍ଧ: ଥମିବାର ନାଁ ଧରୁନି ଚାଷ ଓ ଚାଷୀଙ୍କ ଦୁଃଖ । ବୌଦ୍ଧ ଜିଲ୍ଲାର ଚାଷୀ ଧାନ ଗଣ୍ଡାଏ ବିକ୍ରି କରିନପାରି କାନ୍ଦି କାନ୍ଦି ଗୁହାରି କରୁଥିବାବେଳେ ଦୁର୍ନୀତିରେ ଉବୁଟୁବୁ କୃଷି ବିଭାଗ ନିଦା ବିଷ୍ଣୁ ସାଜିଛି । ଗତ 3 ଦିନ ହେଲା ଚାଷୀଙ୍କ ଦୁଃଖଦ ଦୃଶ୍ୟ ସମ୍ମୁଖକୁ ଆସୁଥିବାବେଳେ କୃଷି ବିଭାଗ କିଛି ଅସାଧୁଙ୍କୁ ସାଙ୍ଗରେ ଧରି ନାଚଗୀତ ଓ ଭୋଜିଭାତରେ ମଉଜ ମସ୍ତି କରୁଥିବା ଅଭିଯୋଗ ହୋଇଛି । ଆଜି ପୁଣି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାଉତପଡା ଗ୍ରାମର ଚାଷୀ ଜଳଛାୟା ପ୍ରକଳ୍ପ ପିଡିଙ୍କ ନାଁରେ ଦୁର୍ନୀତି ଅଭିଯୋଗ କରି ଭିଜିଲାନ୍ସରେ ଦାବିପତ୍ର ପ୍ରଦାନ ସହ ପିଡିଙ୍କୁ କାର୍ଯ୍ୟାଳୟ ଭିତରେ ବନ୍ଦ କରି ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ସୂଚନା ମୁତାବକ ପ୍ରାୟ 3 ବର୍ଷ ପୂର୍ବରୁ ରାଉତପଡା ଗ୍ରାମରେ ଲଗାଯାଇଥିବା ଆମ୍ବ ଚାଷ ଓ ରକ୍ଷଣାବେକ୍ଷଣ ନାଁ ରେ ପ୍ରାୟ 7 ଲକ୍ଷ ଟଙ୍କା ଖୋଦ ପିଡି ଜଣେ ଦଲାଲଙ୍କ ଜରିଆରେ ଚଳୁ କରିଦେଇଥିବା ଭଳି ସାଙ୍ଘାତିକ ଅଭିଯୋଗ କରିଛନ୍ତି । ଏନେଇ ଚାଷୀ ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହେବା ସହ ଆଜି ଦିନ ତମାମ ପିଡିଙ୍କୁ କାର୍ଯ୍ୟାଳୟ ପରିସରରେ ତାଲା ପକାଇ ରଖିଥିଲେ । ଉତ୍ୟକ୍ତ ଚାଷୀଙ୍କୁ ବୁଝାଇବାକୁ ପୋଲିସ ପହଞ୍ଚି ଥିଲେ ମଧ୍ୟ ପିଡିଙ୍କୁ ଗିରଫଦାରୀ ଦାବିରେ ଚାଷୀ ଅଡି ବସିଥିବାବେଳେ ପୋଲିସ ମଧ୍ୟ ଫେରିଯିବାକୁ ବାଧ୍ୟ ହୋଇଥିଲା । ତେବେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ କୃଷି ବିଭାଗ, ଜଳଛାୟା ବିଭାଗ ବ୍ୟାପକ ଦୁର୍ନୀତି ଅଭିଯୋଗ କରୁଥିଲେ ମଧ୍ୟ ପ୍ରଶାସନ କାହିଁକି ଏମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ସେନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ