ବୌଦ୍ଧ: ରାଗିଲେ ମା’ ଲକ୍ଷ୍ମୀ । ମାଉସୀ ମା’ ମନ୍ଦିରରେ ପ୍ରଭୁ ଶ୍ରୀଜଗନ୍ନଥଙ୍କ ସହ ମତାନ୍ତର ହେବା ପରେ ଶ୍ରୀମନ୍ଦିର ଫେରିବା ବାଟରେ ରଥର କୋଣ କାଠ ଭାଙ୍ଗିଛନ୍ତି ମା’ ଲକ୍ଷ୍ମୀ । ହେରାପଞ୍ଚମୀ ଅବସରରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ । ଯେଉଁଠାରେ ନବଦିନାତ୍ମକ ଯାତ୍ରାର ଚତୁର୍ଥ ଦିନରେ ଶ୍ରୀଜିଉ ବାମନ ଓ ପର୍ଶୁରାମ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ।
ଭକ୍ତ ମଧ୍ୟ ବେଶ ଆନନ୍ଦରେ ଠାକୁରଙ୍କ ଦର୍ଶନରେ ଆତ୍ମହରା ହୋଇଥିବା ବେଳେ ମା’ ଲକ୍ଷ୍ମୀ ଜନ୍ମବେଦୀରେ ବିଜେ ହୋଇ ଶ୍ରୀ ଜଗନ୍ନାଥଙ୍କ ସହ ମତାନ୍ତର ହୋଇଥିଲା । ମା’ ଲକ୍ଷ୍ମୀଙ୍କ ବିଜେ ହେବା ପୂର୍ବରୁ ଦେଢଶୂର ବଳଭଦ୍ରଙ୍କ ମୁଖକୁ ସ୍ବତନ୍ତ୍ର ଛାଞ୍ଚରେ ଘୋଡାଇ ଦିଆଯାଇଥିଲା ।
ଏପଟେ ମା’ ଲକ୍ଷ୍ମୀ ରାଗ ତମତମ ହୋଇ ଶ୍ରୀମନ୍ଦିର ଫେରିବା ବାଟରେ ରଥର କୋଣକାଠକୁ ଭାଙ୍ଗି ଦେଇଥିଲେ । ଏପରି ଏକ ଆଧ୍ୟାତ୍ମିକ ଲୀଳା ଦେଖି ଭକ୍ତ ମଧ୍ୟ ବେଶ ଆନନ୍ଦିତ ହୋଇଥିଲେ । ପ୍ରାୟ ରାତି 11ଟା ବେଳକୁ ଠାକୁରଙ୍କ ଏହି ହେରାପଞ୍ଚମୀ ଓ ରଥଭଙ୍ଗା କାର୍ଯ୍ୟ ସମ୍ପାଦନ ହୋଇଥିଲା ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ