ବୌଦ୍ଧ:ଅସହାୟତାର କରୁଣ ଚିତ୍ର । ଏହା କୌଣସି ଉପାନ୍ତ ଅଞ୍ଚଳର ନୁହେଁ, ବରଂ ଜିଲ୍ଲା ମୁଖ୍ୟାଳୟ ଠାରୁ ଅଳ୍ପ କିଛି ମିଟର ଦୂରରେ । ମୁଣ୍ଡ ଉପରେ ନା ଅଛି ଛାତଘର, ନା ଅଛି ପାଇଖାନା । ଉପରେ ଏକମାତ୍ର ଝିଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ବୌଦ୍ଧ ଜିଲ୍ଲା ସଦର ମହକୁମା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ପ୍ରଥମ ବସ୍ତି ନୂଆସାହିର ଅର୍ଜୁନ ଓ ଜୟନ୍ତୀଙ୍କ ପରିବାର ବାସ କରନ୍ତି ।
ସୂଚନା ମୁତାବକ ଏହି ଅସହାୟ ଦମ୍ପତିଙ୍କ ଦୁଇ ପୁଅ ଓ ଝିଅ ସହ କିଛି ବର୍ଷ ପୂର୍ବରୁ ଉଭୟ ସ୍ବାମୀ ସ୍ତ୍ରୀ ମୂଲଲାଗି କୌଣସି ମତେ ଗୁଜୁରାଣ ମେଣ୍ଟାଉଥିଲେ । ମାତ୍ର ଝିଅ ଗେହ୍ଲିରାଣୀର ବିବାହର କିଛି ବର୍ଷ ପରେ ଝିଅଠାରେ କ୍ୟାନ୍ସର ରୋଗ ଚିହ୍ନଟ ହେବାରୁ ଉଭୟ ଶ୍ବଶୁର ଘର ଓ ବାପ ଘର ଚିକିତ୍ସା କରି କରି ସର୍ବସ୍ବାନ୍ତ ହୋଇପଡିଲେଣି ।
ଏବେ ଗେହ୍ଲିରାଣୀ ପିତା ଅର୍ଜୁନଙ୍କ ଘରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଗୋଟିଏ ଖଟରେ ପଡି ରହିଛି । ଚିକିତ୍ସା ଅଭାବରୁ ଦିନକୁ ଦିନ ଅବସ୍ଥା ମଧ୍ୟ ଗୁରୁତର ହେବାରେ ଲାଗିଛି । ବଡପୁଅ ନାବାଳକ ହୋଇଥିଲେ ମଧ୍ୟ ବାଧ୍ୟ ହୋଇ ଦାଦନ ଖଟିବାକୁ ବାହାର ରାଜ୍ୟରେ ପାଦ ଦେଇଛି । ଏନେଇ ଅସହାୟ ପରିବାର ପକ୍ଷରୁ ସରକାରୀ ସହାୟତା ଓ ଘର ପାଇଁ ବାରମ୍ବାର ଗୁହାରି ପରେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ