ବୌଦ୍ଧ: ପୁଣି ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ମାଡ ଦାଉ ସାଧିଛି । ଅଦିନିଆ ବର୍ଷା ଧୋଇ ନେଲା ବୌଦ୍ଧ ଚାଷୀର ବଳକା ସମ୍ବଳ । ଉଜୁଡି ଗଲା ଏକର ଏକର ପରିବା କ୍ଷେତ । ରୋଜଗାରର ଏକମାତ୍ର ଉତ୍ସ ହରାଇ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । କେମିତି ପରିବାର ଚଳିବ ସେ ନେଇ ଚିନ୍ତାରେ ଚାଷୀ ।
ବୌଦ୍ଧ ଜିଲ୍ଲାର ମାଟି ଓ ଜଳବାୟୁ ପିଆଜ ଚାଷ ପାଇଁ ଉତ୍କୃଷ୍ଟ ହୋଇଥିବାରୁ ଏଠାରେ ଆଠରୁ ଦଶ ପ୍ରକାରର ପିଆଜ ଚାଷ କରିଥାନ୍ତି ଚାଷୀ । ପିଆଜ ଚାଷ ପ୍ରତି ଚାଷୀଙ୍କୁ ଅଧିକ ଆକର୍ଷଣ ତଥା ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ନାସିକ ପରେ ଓଡ଼ିଶାର ଏକମାତ୍ର ଏନଏଚ ଆରଡିଏଫ ବା ରାଷ୍ଟ୍ରୀୟ ଆଞ୍ଚଳିକ ଉଦ୍ୟାନକୃଷି ଗବେଷଣା କେନ୍ଦ୍ର ବୌଦ୍ଧ ଜିଲ୍ଲାର ପାଲଝାର ଠାରେ ସ୍ଥାପନ କରାଯାଇଛି । ଏନଏଚ ଆରଡିଏଫ ଜିଲ୍ଲାରେ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ପିଆଜ ବିହନର ଅଭାବ ସାଙ୍ଗକୁ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ପିଆଜ ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ ।
କିନ୍ତୁ ଆଉ କେତେକ ଚାଷୀ ପିଆଜ ଚାଷକରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି। ତେବେ ଅଦିନିଆ ବର୍ଷା ସହ କୁଆପଥର ମାଡ ଯୋଗୁଁ ବୌଦ୍ଧ ଜିଲ୍ଲାରେ ପିଆଜ ଚାଷ ବ୍ୟାପକ କ୍ଷୟକ୍ଷତି ହୋଇଛି । ଯାହା ଫଳରେ କି ଚାଷୀ ମୁଣ୍ଡରେ ହାତଦେଇ ବସିଛନ୍ତି । ଧାର କରଜ କରି ଚାଷ କରୁଥିବା ଚାଷୀ ଏବେ କଣ କରିବ ସେନେଇ ଚିନ୍ତାରେ ପଡିଛି । ତେବେ ଜିଲ୍ଲାର କୃଷି ଓ ଉଦ୍ୟାନ ବିଭାଗ ଏନେଇ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ଜିଲ୍ଲା ପ୍ରଶାସନ ଓ ସରକାରଙ୍କୁ ସହାୟତା ନିମନ୍ତେ ଗୁହାରି କରିଛନ୍ତି ପିଆଜ ଚାଷୀକୂଳ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ