ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ହକି ବିଶ୍ବକପ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ବିଶ୍ବକପକୁ ଅଧିକ ସ୍ମରଣୀୟ କରିବାକୁ ଏକ ମେଗା ଚିତ୍ରାଙ୍କନର ଆୟୋଜନ କରାଯାଇଥିଲା । ଚିତ୍ର ଆଙ୍କି ହକି ଖେଳାଳିଙ୍କୁ ଶୁଭେଚ୍ଛା ଜଣାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଖୋଦ୍ ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ସାମିଲ ହୋଇ କାଗଜରେ ଚିତ୍ର ଆଙ୍କି ହକି ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ତେବେ ହକି ମ୍ୟାଚରେ ଭାରତୀୟ ଦଳ ବିଜୟୀ ହେବାପରେ ଏହି ଆନନ୍ଦ ଦ୍ବିଗୁଣିତ ହୋଇ ଉଠିଛି ।
ଏହି ଅବସରରେ ଜିଲ୍ଲା ମହୋତ୍ସବ ପଡିଆରେ ହଜାରରୁ ଊର୍ଦ୍ଧ୍ବ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହିତ ବିଭିନ୍ନ ବର୍ଗର ନାଗରିକ ଓ ସରକାରୀ ଅଧିକାରୀ ତଥା କର୍ମଚାରୀ ଏଥିରେ ଭାଗ ନେଇଥିଲେ । ପ୍ରଥମଥର ପାଇଁ ଏଭଳି ମେଗା ଚିତ୍ରାଙ୍କନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବାରୁ ସମସ୍ତେ ଏଭଳି କାର୍ଯ୍ୟକ୍ରମରେ ବେଶ ଉତ୍ସାହିତ ହୋଇଛନ୍ତି ।
ଜିଲ୍ଲାପାଳ ସତ୍ୟରଞ୍ଜନ ଅନ୍ୟ ଅଧିକାରୀଙ୍କ ସହିତ ତଳେ ବସି ହକି ସମ୍ପର୍କିତ ଚିତ୍ର ଆଙ୍କିଥିଲେ । ଏହାସହିତ ନିଜେ ସମସ୍ତ ଛାତ୍ରଛାତ୍ରୀଙ୍କୁ ସୁସ୍ଥ ନିରାମୟ ଜୀବନ ପାଇଁ ଯୋଗାଭ୍ୟାସ ପ୍ରଶିକ୍ଷଣ ଦେଇଥିଲେ । କାଗଜରେ ନିଜ ନିଜ ଶୈଳୀରେ ହକି ସମ୍ପର୍କିତ ଚିତ୍ର ସମସ୍ତେ ଆଙ୍କିଥିଲେ । ଯୁବଛାତ୍ର ଅଭିନନ୍ଦନ କାଗଜରେ ମେହେନ୍ଦୀର ବ୍ୟବହାର କରି ସୁନ୍ଦର ଚିତ୍ର ଆଙ୍କି ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲେ । ଭାରତୀୟ ହକି ଦଳ ଉଦ୍ଦେଶ୍ୟରେ ଅଭିନନ୍ଦନ ଏହି ଚିତ୍ରକଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଥିଲେ ।
ଏ ସମ୍ପର୍କରେ ମେହେନ୍ଦୀ କଳାକାର ଅଭିନନ୍ଦନ ହୋତା କହିଛନ୍ତି, ''ଓଡ଼ିଶାରେ ଏବେ ହକିକୁ ନେଇ ଚାରିଆଡ଼େ ଚର୍ଚ୍ଚା । ସବୁଠି ଜମୁଛି ହକିର ମାହୋଲ । ତେବେ ଏହାକୁ ଦେଖି କିଛି ନୂଆ କରିବାର ଆଶା ମୋ ମନରେ ଆସିଥିଲା । ତେଣୁ ମୁଁ ଜଣେ ମେହେନ୍ଦୀ କଳାକାର ହୋଇଥିବାରୁ ମେହେନ୍ଦୀ ମାଧ୍ୟମରେ କିଛି ନୂଆ କରିବାର ତରିକା ଭାବିଲି । ଆଉ ଏହାପରେ ଆରମ୍ଭ କଲି ମେହେନ୍ଦୀରେ ଚିତ୍ର । ଏକ ଧଳା କାଗଜରେ ମେହେନ୍ଦୀରେ ହକି ଷ୍ଟିକ ଆଙ୍କିଛି । ଯେଉଁଥିରେ କି ହକି ଖେଳରେ ସାମିଲ ଥିବା ସମସ୍ତ ପ୍ଲେୟରଙ୍କ ଚିତ୍ର ମଧ୍ୟ ଏଥିରେ ଆଙ୍କିଛି । ଏହାସହ ପ୍ରଭୂ ଜଗନ୍ନାଥଙ୍କୁ ମଧ୍ୟ ଏଥିରେ ଆଙ୍କିଛି ।''
ସେହିପରି ଶିକ୍ଷାବିତ ରାଜଲକ୍ଷ୍ମୀ ବିଶ୍ବାଳ କହିଛନ୍ତି, ''ଚଳିତ ବର୍ଷ ଆମର ଓଡିଶାରେ ଦ୍ବିତୀୟ ଥର ଲାଗି ଏଠାରେ ହକି ଖେଳ ହେଉଛି । ଏହା ଆମପାଇଁ ଗର୍ବ ଓ ଗୌରବ । ଏନେଇ ବହୁ ଜାକଜମକରେ ଏହାକୁ ପାଳନ କରାଯାଉଛି । ବିଶେଷ କରି ବୌଦ୍ଧରେ ଲୋକ ମହୋତ୍ସବ ସହିତ ତାଳ ଦେଇ ହକି ଫିଭର ମଧ୍ୟ ପ୍ରସାରିତ ହେଉଛି । ଏନେଇ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଗତକାଲି (ଶୁକ୍ରବାର) ସନ୍ଧ୍ୟାରେ ଯେଉଁ ହକି ମ୍ୟାଚ ଦେଖାଗଲା ତାହା ସମସ୍ତଙ୍କୁ ଉତ୍ସାହିତ କରିଛି । ଏହା ଆମପାଇଁ ଏକ ବଡ଼ ଖୁସିର ଦିନ ।''
ଇଟିଭି ଭାରତ, ବୌଦ୍ଧ