ବୌଦ୍ଧ: ଚଳିତ ମାସରେ ଆରମ୍ଭ ହେବ ହକି ବିଶ୍ବକପ । ଏନେଇ ଏବେଠାରୁ ଚାରିଆଡେ ଦେଖିବାକୁ ମିଳିଛି ହକି ଫିବର । ବିଶ୍ବକପକୁ ନେଇ ଲୋକଙ୍କ ମନରେ ବେସ ଉତ୍ସାହ । କାହିଁକିନା ଦ୍ବିତୀୟ ଥର ପାଇଁ ଓଡିଶାରେ ହକି ବିଶ୍ବକପର ଆୟୋଜନ କରାଯାଇଛି । ହକି ବିଶ୍ୱକପର ପ୍ରଚାରପ୍ରସାର କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ହକି ବିଶ୍ବକପ୍ ଟ୍ରଫି ଟୁର୍ ଆରମ୍ଭ ହୋଇଛି । ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ହକି ବିଶ୍ବକପ ଟ୍ରଫି ଭ୍ରମଣ କରୁଛି । ଏହିକ୍ରମରେ ଆଜି ବୌଦ୍ଧ ଜିଲ୍ଲାରେ ପହଞ୍ଚିଛି ହକି ବିଶ୍ବକପ ଟ୍ରଫି । ଫଳରେ ଜିଲ୍ଲାବାସୀ ହକି ବିଶ୍ୱ କପର ଟ୍ରଫିକୁ ଭବ୍ୟ ସ୍ବାଗତ କରିଛନ୍ତି ।
ଜିଲ୍ଲାରେ ହକି ବିଶ୍ୱ କପର ଟ୍ରଫି ପହଞ୍ଚିବା ପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଟ୍ରଫିକୁ ସ୍ବାଗତ କରାଯାଇଛି । ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ଟ୍ରଫିକୁ ସସମ୍ମାନରେ ସ୍ବାଗତ କରାଯାଇଥିଲା । ଗତକାଲି ମନମୁଣ୍ଡା ଠାରେ ଏହି ବିଶ୍ୱ କପ ଟ୍ରଫିକୁ ସ୍ବାଗତ କରାଯାଇଥିବା ବେଳେ ଆଜି ବୌଦ୍ଧ ର କୃଷକ ବଜାର ଠାରେ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ଟ୍ରଫିକୁ ସ୍ବାଗତ କରିଥିଲେ । ଏଥିସହିତ ଏକ ବିରାଟ ହକି ମନୋକୁ ଉଦଘାଟନ କରାଯାଇ ସେଠାରେ ଟ୍ରଫିକୁ ପ୍ରଦର୍ଶିତ କରାଯାଇଥିଲା । ଏକ ବିଶାଳ ଶୋଭାଯାତ୍ରାରେ ଏହି ଟ୍ରଫିକୁ ବୌଦ୍ଧ ସହର ତମାମ ପ୍ରଦକ୍ଷିଣ କରାଯିବା ପରେ ଗନ୍ଧରାଡିର ହରିହର ପୀଠରେ ମଧ୍ୟ ଏ ଟ୍ରଫିକୁ ସ୍ବାଗତ କରାଯାଇଥିଲା । ଜିଲ୍ଲାରେ ହକି ବିଶ୍ୱ କପ ପାଇଁ ସାଧାରଣରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିବା ବେଳେ ଏହାର ସଫଳତା କୁନେଇ ସମସ୍ତେ ବେଶ ଆଶାବାଦୀ ରହିଥିବା ଜଣାପଡିଛି ।
ଦିନ ଗଡ଼ିବା ସହ ହକି ବିଶ୍ବକପକୁ ନେଇ ବଢ଼ୁଛି ଉତ୍କଣ୍ଠା । ସାରା ଦେଶରେ ପରିକ୍ରମା କରି ଫେରିଲା FIH ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ ଟ୍ରଫି । ବିଶ୍ବକପ ଟ୍ରଫି ଦେଖିବାକୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଥିଲା । ଆସନ୍ତା ୨୦୨୩ ଜାନୁଆରୀ ୧୩ରୁ ୨୯ଯାଏଁ ଓଡ଼ିଶାରେ ହକି ବିଶ୍ବକପ ଖେଳାଯିବ( Hockey World Cup ୨୦୨୩ ) । ୨୦୨୩ ହକି ବିଶ୍ବକପ ପାଇଁ ପ୍ରାୟୋଜକ ରହିଛି ଓଡିଶା । ଭୁବନେଶ୍ବରରେ ଥିବା କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାରେ ନିର୍ମାଣ ହେଉଥିବା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଏହି ହକି ବିଶ୍ବକପ ଖେଳାଯିବ । ସାରା ଓଡ଼ିଶାରେ ଦେଖିବାକୁ ମିଳିଛି ହକି ଫିଭର ।
ଇଟିଭି ଭାରତ, ବୌଦ୍ଧ