ବୌଦ୍ଧ: ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଅନେକ ସ୍ଥାନରେ ସାମାଜିକ ସୁରକ୍ଷା ବ୍ୟବସ୍ଥା ଫେଲ ମାରୁଥିବା ଦେଖାଯାଉଛି । କେଉଁଠି ଅସହାୟ ଦିବ୍ୟାଙ୍ଗ, ବୃଦ୍ଧ ବୃଦ୍ଧାଙ୍କୁ ଭତ୍ତା ମିଳିପାରୁ ନାହିଁ ତ କେଉଁଠି ବିଧବା ଭତ୍ତା ଟିକକ ପାଇଁ ଦୀର୍ଘ ଦିନ ଧରି ପଞ୍ଚାୟତ କାର୍ଯ୍ୟାଳୟକୁ ଧାଇଁବାକୁ ପଡୁଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବଘିଆପଡା ପଞ୍ଚାୟତରେ ।
ବଘିଆପଡା ପଞ୍ଚାୟତ ସଦର ଗ୍ରାମରେ ଶାନ୍ତି ସାହୁଙ୍କ ସ୍ବାମୀ ଦୀର୍ଘ ତିନି ବର୍ଷ ତଳେ ଆର ପାରିକୁ ଚାଲିଗଲେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଶାନ୍ତିକୁ ବିଧବା ଭତ୍ତା ଟିକକ ମିଳିପାରି ନାହିଁ । ଦୁଃଖ କେବଳ ଏତିକି ନୁହେଁ, ଶାନ୍ତିଙ୍କୁ ସରକାରୀ ଚାଉଳ ମୁଠାଏ କିମ୍ବା ସରକାରୀ ପକ୍କା ଘର ଖଣ୍ଡେ ମିଳି ନଥିବାରୁ ସେ ନିଜ ଏକମାତ୍ର ଶିଶୁ ପୁତ୍ରକୁ ନେଇ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳ କାଟୁଛନ୍ତି । ଏନେଇ ଶାନ୍ତି ବାରମ୍ବାର ବଘିଆପଡା ପଞ୍ଚାୟତକୁ ଦୌଡ଼ି ନୟାନ୍ତ ହେବାପରେ ନିଜ ଦୁଃଖ ଜଣାଇବାକୁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ ।
ତେବେ ତୁରନ୍ତ ଏହି ଅସହାୟ ମହିଳାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ