ବୌଦ୍ଧ: ଦୁଇ ବର୍ଷ ହେଲା ନିର୍ମାଣ ସରିଛି ଛାତ୍ରୀ ନିବାସ । ହେଲେ ବିଭାଗୀୟ ଉଦାସୀନତା ଓ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଏଯାବତ କାର୍ଯ୍ୟକ୍ଷମ ହୋଇପାରୁନି ଛାତ୍ରୀ ନିବାସ । ପ୍ରାୟ 2 କୋଟି ଟଙ୍କାରେ ବ୍ୟୟରେ ନିର୍ମିତ ଏହି ସରକାରୀ କୋଠା ଖୁବ୍ ଶୀଘ୍ର ଉଦଘାଟନ କରିବାକୁ ଦାବି ହୋଇଛି । ଘଟଣା ହେଉଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଅଇଁଳାଚୁଆଁରେ ଥିବା ଆଦର୍ଶ ଉଚ୍ଚ ବିଦ୍ୟାଳୟର ।
ଦୂରଦୂରାନ୍ତରୁ ଛାତ୍ରଛାତ୍ରୀ ଏଠାକୁ ପାଠ ପଢିବାକୁ ଆସିଥାନ୍ତି । ସେମାନଙ୍କ ରହିବାରେ ଯେମିତି ଅସୁବିଧା ନହୁଏ ସେ ଲାଗି ବିଦ୍ୟାଳୟ ନିକଟରେ ଛାତ୍ରୀଙ୍କ ନିମନ୍ତେ ଦୀର୍ଘ ଦୁଇ ବର୍ଷ ହେଲା ନିର୍ମାଣ ହୋଇଛି ଶହେ ଶଯ୍ୟା ବିଶିଷ୍ଟ ଏହି ଛାତ୍ରୀ ନିବାସ । ହେଲେ ଏଯାବତ କାର୍ଯ୍ୟକ୍ଷମ ହୋଇନଥିବାରୁ ତାହା ଏବେ ଭୂତକୋଠି ପାଲଟିଲାଣି । କୋଠାର ଅଧିକାଂଶ କବାଟ ଝରକା ଉପୁଡିଗଲାଣି । ଯଦ୍ବାରା ଏଠାକୁ ପାଠ ପଢିବାକୁ ଦୂରଦୂରାନ୍ତରରୁ ଆସୁଥିବା ଛାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେପଟେ ଘଟଣାକୁ ବିଦ୍ୟାଳୟର ଅଧ୍ୟକ୍ଷ ସ୍ବୀକାର କରିବା ସହ ତୁରନ୍ତ ଏହାର ସମାଧାନ ହେବ ବୋଲି କହିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ