ବୌଦ୍ଧ: ଲଘୁଚାପ ପ୍ରଭାବରେ ବୌଦ୍ଧ ଜିଲ୍ଲାରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ଗତ ୨୪ ଘଣ୍ଟାରେ ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୩୯୦.୬ ମିମି ବର୍ଷା ରେକର୍ଡ କରାଯାଇଛି । ଏହାର ପ୍ରଭାବରେ ଜିଲ୍ଲାରେ ସାଂଘାତିକ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଚାରିଆଡ଼େ ପାଣି ଆଉ କେବଳ ପାଣି ହିଁ ଦେଖିବାକୁ ମିଳିଛି । ଲଗାଣ ବର୍ଷା ଯୋଗୁଁ ସହରର ରାସ୍ତାଘାଟ ବୁଡ଼ି ରହିଥିବା ବେଳେ ମହାନଦୀ କୂଳରେ ସୃଷ୍ଟି ହୋଇଛି ବିରାଟକାୟ ଘାଇ । ସେପଟେ ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଅନେକ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।
ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଳପ୍ରଳୟ ଦେଖିବାକୁ ମିଳିଛି । ତୁହାକୁ ତୁହା ବର୍ଷା ଯୋଗୁଁ ଜନଜୀବନ ଏକ ପ୍ରକାର ଦୁର୍ବିସହ ହୋଇ ପଡ଼ିଥିବା ବେଳେ ଅନେକ ଅଞ୍ଚଳକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି । ସରସରା ପଞ୍ଚାୟତ ଅନ୍ତର୍ଗତ କାଲେଶ୍ବର ନିକଟରେ ମହାନଦୀ କୂଳରେ ଗତ ବର୍ଷ ନିର୍ମାଣ ହୋଇଥିବା ବନ୍ୟା ସୁରକ୍ଷା ପ୍ରକଳ୍ପ ଠାରେ ଏକ ବିରାଟକାୟ ଘାଇ ସୃଷ୍ଟି ହୋଇଛି । ଫଳରେ ପ୍ରକଳ୍ପର ନିର୍ମାଣକୁ ନେଇ କାଲେଶ୍ବର ଗ୍ରାମବାସୀ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ଗତକାଲି ଠାରୁ ଜାରି ରହିଥିବା ଲଗାଣ ବର୍ଷା ଜାରି ରହିଛି । ଗତ ୨୪ ଘଣ୍ଟାରେ ଜିଲ୍ଲାରେ ୩୯୦.୬ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ସେପଟେ ଜିଲ୍ଲାର ମହାନଦୀ ସମେତ ସାଲୁଙ୍କୀ ନଦୀ, ବାଘନଦୀ ଓ ତେଲନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ନଦୀ କୂଳିଆ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: ଫୁଲୁଛି ବୈତରଣୀ ଜଳସ୍ତର, ତଳି ଅଞ୍ଚଳ ପାଇଁ ବଢୁଛି ବିପଦ !
ମଙ୍ଗଳବାର ଦିନ ତମାମ ବର୍ଷା ଯୋଗୁଁ ଜିଲ୍ଲାର ରାଧାନଗର ଓ ବଲାସିଙ୍ଘା ନିକଟରେ ୫୭ ନମ୍ବର ଜାତୀୟ ରାଜପଥ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ବୌଦ୍ଧ, ଭୁବନେଶ୍ୱର ଓ ବଲାଙ୍ଗୀରକୁ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଛି । ତେବେ ଆଜି ସ୍ଥିତିରେ ସୁଧାର ଆସିଥିଲେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ଅନେକ ପାହାଡ଼ି ନାଳରେ ବନ୍ୟାପାଣି ଆସି ଅନେକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ କରିଛି । ଏହାଛଡା କେତେକ ସ୍ଥାନରେ ବଡ଼ବଡ଼ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଥିବାରୁ ବ୍ୟାପକ ସମସ୍ୟା ସୃଷ୍ଟି ହୋଇଛି ।
ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟକୁ ସମ୍ପୂର୍ଣ୍ଣ ବନ୍ୟାଜଳ ଘେରି ରହିଥିବା ବେଳେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି । ଜିଲ୍ଲାର ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଖୋଦ ଜିଲ୍ଲାପାଳ ବିଭିନ୍ନ ସ୍ଥାନରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ଇଟିଭି ଭାରତ, ବୌଦ୍ଧ