ବୌଦ୍ଧ: ଦୁଇ ଦିନିଆ ମତ୍ସ୍ୟ ଓ ପଶୁସମ୍ପଦ ମେଳା ଉଦଯାପିତ । ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ବିଧାନ ସଭାର ନୂତନ ଉପବାଚସ୍ପତି ସାଲୁଗା ପ୍ରଧାନ । ମାଛଚାଷୀ ଓ ପଶୁ ପାଳକଙ୍କ ଉନ୍ନତି ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ବଷୟରେ ସୂଚନା ଦିଆଗଲା । ମାଛଚାଷ ଓ ପଶୁ ପାଳନ ପାଇଁ ଆବଶକ୍ୟ ଉପକରଣର ପ୍ରଦର୍ଶନୀ କରାଯାଇଥିଲା ।
ବୌଦ୍ଧ ଜିଲ୍ଲା ସଦରମହକୁମା ଠାରେ ପ୍ରଥମଥର ପାଇଁ ଆୟୋଜିତ ହୋଇଥିଲା ମତ୍ସ୍ୟ ଓ ପଶୁସମ୍ପଦ ମେଳା । ଦୁଇ ଦିନ ଧରି ଚାଲିଥିବା ଉତ୍ସବ ଆଜି ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ବିଧାନ ସଭାର ନୂତନ ଉପବାଚସ୍ପତି ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ରାଜ୍ୟ ସରକାର ମାଛଚାଷୀ ଓ ପଶୁ ପାଳକଙ୍କ ପାଇଁ ନେଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦିଆଗଲା । ଜିଲ୍ଲାରେ ପ୍ରଥମ ଥର ପାଇଁ ଆୟୋଜିତ ହେଲା ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପଶୁସମ୍ପଦ ମେଳା । କୃଷି ପ୍ରଧାନ ବୌଦ୍ଧ ଜିଲ୍ଲା, ମାଛଚାଷ ଓ ପଶୁ ପାଳକ କ୍ଷେତ୍ରରେ ବି କିଛି କମ୍ ନୁହେଁ । ସରକାର ଏଭଳି ଚାଷୀଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରିବା ସହିତ ସେମାନଙ୍କୁ ଆର୍ଥିକ ସ୍ବାବଲମ୍ବୀ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀକ୍ଷେତ୍ର ଗଲା କଂଗ୍ରେସର ତୁଳସୀ ଯାତ୍ରା, ସାରା ରାଜ୍ୟରୁ ସଂଗୃହୀତ ହୋଇଛି ତୁଳସୀ
ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ଏକ ଲକ୍ଷ ତିରିଶ ହଜାରରୁ ଅଧିକ ଗାଈ ଚାଷ ସହିତ ଛେଳି, ମେଣ୍ଢା, କୁକୁଡା, ବତକ, ମଇଁଷି, ଘୁଷୁରୀ ଭଳି ପଶୁ ପାଳନ କରୁଥିବା ସୂଚନା ମିଳିଛି । ଏଭଳି ପଶୁ ପାଳନ ପାଇଁ ଚାଷୀଙ୍କୁ ମୋ ଗୁହାଳ ତଥା ମୁଖ୍ୟମନ୍ତ୍ରୀ ସହାୟତା ଯୋଜନା ମାଧ୍ୟମରେ ସହାୟତା ଯୋଗାଇ ଦିଆଯାଉଛି । ଏହା ଛଡା ବୌଦ୍ଧ ଜିଲ୍ଲାରେ ଥିବା ବିଭିନ୍ନ ଗୋଶାଳା ଗୁଡ଼ିକର ଉନ୍ନତି ତଥା ଗାଈଗୋରୁଙ୍କ ଥଇଥାନ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି ।
ସେହିପରି ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ନଦୀ ମାଛ ସହିତ ପୋଖରୀ ମାଛର ବେଶ ଚାହିଦା ରହିଥିବା ଯୋଗୁଁ ଏଠାରେ ମାଛ ଉତ୍ପାଦନ ପର୍ଯ୍ୟାପ୍ତ ପରିମାଣରେ ହେଉଛି । ଜିଲ୍ଲାର ବିଭିନ୍ନ ସ୍ଥାନର ପୋଖରୀରେ ମାଛଚାଷ ସହିତ ବାୟୋଫ୍ଲେକ୍ସ ଟାଙ୍କିରେ ମାଛଚାଷ ପାଇଁ ଚାଷୀଙ୍କୁ ପ୍ରୋତ୍ସାହିତ କରାଯାଇଛି । ରାଜ୍ୟ ସରକାର ଚାଷୀମାନଙ୍କ ହିତ ତଥା ଆର୍ଥିକ ସ୍ବାବଲମ୍ବୀ ପାଇଁ ନେଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦିଆଯାଇଥିଲା । ତେବେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯାଉ ନଥିବାରୁ ଏନେଇ କଣ୍ଟାମାଳ ବ୍ଲକ ଅଧ୍ୟକ୍ଷା ଅସନ୍ତୋଷ ପ୍ରକାଶ କରିଥିଲେ ।