ବୌଦ୍ଧ: ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ମହାନଦୀରେ ପହଞ୍ଚିବା ପରେ ଜିଲ୍ଲାବାସୀଙ୍କ ମନରେ ପ୍ରବଳ ଉତ୍କଣ୍ଠା ଦେଖିବାକୁ ମିଳିଛି । ବୌଦ୍ଧ ତଥା ଜିଲ୍ଲା ବାହାରର ଅନେକ ପ୍ରକୃତି ପ୍ରେମୀ ମହାନଦୀରେ ବୃଦ୍ଧି ପାଉଥିବା ଜଳସ୍ତର ଓ ଏହାର ସୌନ୍ଦର୍ଯ୍ୟ ଦେଖିବାକୁ ଭିଡ଼ ଜମାଇଛନ୍ତି ।
ବୌଦ୍ଧରେ ପ୍ରବାହିତ ମହାନଦୀରେ ପ୍ରଥମ ବନ୍ୟାଜଳ ପହଞ୍ଚିବା ପରେ ଏହାକୁ ଦେଖିବାକୁ ସେତୁ ଉପରେ ଅନେକ ଲୋକ ଜମା ହୋଇଥିବା ଦେଖିବାକୁ ମିଳିଥିଲା । ଆଜି(ରବିବାର) ହୀରାକୁଦରୁ ପ୍ରଥମ ବନ୍ୟା ଜଳ ଦୁଇଟି ଗେଟରେ ଛଡ଼ାଯାଇଥିଲା । ସଂଧ୍ୟା ସମୟରେ ଏହି ନଦୀକୁ ବନ୍ୟା ଜଳ ପହଞ୍ଚିବା ଆରମ୍ଭ ହୋଇଥିଲା । ମହାନଦୀରେ ବନ୍ୟାଜଳ ପହଞ୍ଚିବା ପରେ ଜଳସ୍ତର ବୃଦ୍ଧି ପାଇଛି । ଏହାସହ ମହାନଦୀର ସୌନ୍ଦର୍ଯ୍ୟ ମଧ୍ୟ ଅନେକ ଗୁଣରେ ବୃଦ୍ଧି ପାଇଛି ।
ମହାନଦୀର ଏହି ଉଗ୍ରରୂପୀ ସୌନ୍ଦର୍ଯ୍ୟତାକୁ ଦେଖିବା ପାଇଁ ସୋମବାର ସନ୍ଧ୍ୟାରେ ବୌଦ୍ଧ ସ୍ଥିତ ମହାନଦୀ ସେତୁ ଉପରେ ଜିଲ୍ଲା ତଥା ଜିଲ୍ଲା ବାହାରର ପର୍ଯ୍ୟଟକଙ୍କ ଭିଡ ଲାଗିଥିଲା । ମହାନଦୀର ପ୍ରବାହିତ ଜଳ ଗର୍ଜନ ସହ ପାର୍ଶ୍ବରେ ଥିବା ସବୁଜବନାନୀ ଘେରା ଜଙ୍ଗଲ ପ୍ରକୃତିପ୍ରେମୀଙ୍କୁ ଆକୃଷ୍ଟ କରିଥିଲା । ଏଭଳି ସମୟରେ ଅନେକ ଲୋକେ ଫଟୋସୁଟ ଓ ସେଲଫି ନେଉଥିବା ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଜିଲ୍ଲା ବାହାରୁ ଆସିଥିବା ଅନେକ ପର୍ଯ୍ୟଟକଙ୍କ ପାଇଁ ଏଭଳି ଅନୁଭୂତି ପ୍ରଥମ ଥର ପାଇଁ ହୋଇଥିବାରୁ ସେମାନେ ବେଶ ଆନନ୍ଦ ପ୍ରକାଶ କରିଥିଲେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ