ବୌଦ୍ଧ: ପଶ୍ଚିମ ଓଡ଼ିଶାର କୃଷି ପ୍ରଧାନ ଜିଲ୍ଲାରେ ଜଳସେଚନର ପର୍ଯ୍ୟାପ୍ତ ସୁଯୋଗ ରହିଥିଲେ ମଧ୍ୟ ତାର ବିନିଯୋଗ ହୋଇପାରୁନଥିବା ହୋଇଛି ଅଭିଯୋଗ । 20 ବର୍ଷ ହେଲାଣି ଜଳସେଚନ ପାଇଁ ନିର୍ମାଣ ହୋଇଥିବା ବ୍ୟାରେଜର ଦକ୍ଷିଣ ପାର୍ଶ୍ଵ କେନାଲ କାର୍ଯ୍ୟ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରି ନାହିଁ ।
ଜିଲ୍ଲାରେ ମହାନଦୀ ସମେତ ତେଲନଦୀ, ସାଲୁଙ୍କୀ, ଖଡଙ୍ଗ, ବାଘନଦୀ ଭଳି ଅନେକ ନଦୀନାଳ ପ୍ରବାହିତ ହେଉଛି । ବାଘନଦୀ ଉପରେ ଶଗଡା ଠାରେ ପ୍ରାୟ କୋଡିଏ ବର୍ଷରୁ ଊର୍ଦ୍ଧ୍ବ ସମୟ ପୂର୍ବରୁ ଜଳସେଚନ ପାଇଁ ଏକ ବ୍ୟାରେଜର ନିର୍ମାଣ ହୋଇଥିଲା । ଉଭୟ ବାମ ଓ ଦକ୍ଷିଣ ପାର୍ଶ୍ଵରୁ ଜଳସେଚନ ପାଇଁ ଏହି ପ୍ରକଳ୍ପ ନିର୍ମାଣ ହୋଇଥିଲେ ମଧ୍ୟ ଆଜି ଯାଏଁ ଦକ୍ଷିଣ ପାର୍ଶ୍ଵରେ କେନାଲ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରି ନାହିଁ ।
ଫଳରେ ବୌଦ୍ଧ ବ୍ଲକର ପାଞ୍ଚରୁ ଊର୍ଦ୍ଧ୍ବ ପଞ୍ଚାୟତବାସୀ ଜଳସେଚନରୁ ବଞ୍ଚିତ ରହିଯାଇଛନ୍ତି । ଏନେଇ ଚାରି ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଗଭୀର ଉଦବେଗ ପ୍ରକାଶ କରିବା ସହିତ ତୁରନ୍ତ ଏହାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଦାବି କରିଛନ୍ତି । ସେପଟେ କଣ୍ଟାମାଳ ବିଧାୟକ ଏନେଇ ପ୍ରତିକ୍ରିୟା ରଖିବା ସହ ଏହି ଦକ୍ଷିଣ ପାର୍ଶ୍ଵର କେନାଲ କାର୍ଯ୍ୟ ପାଇଁ ଚାରି କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ୟୟବରାଦ ହୋଇଛି ଓ କାମ ହୋଇସାରିଛି ବୋଲି ସୂଚନା ଦେଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ