ବୌଦ୍ଧ: ସମବାୟ ସମ୍ପାଦକଙ୍କ ମନମୁଖି କାର୍ଯ୍ୟ ଅଭିଯୋଗ । ଉଚ୍ଚ କର୍ତ୍ତୃପକ୍ଷଙ୍କ ଆଗରେ ଦେଇଥିବା ପ୍ରତିଶୃତି ମଧ୍ୟ ପାଲଟିଲା ପାଣିର ଗାର । ଫଳରେ ଆଜି(ରବିବାର) ବୌଦ୍ଧର ଜଣେ ଚାଷୀ ଧାନବିକ୍ରି କରିବାକୁ ଆସି ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ତୁରନ୍ତ ଏହି ସମ୍ପାଦକଙ୍କୁ ବହିଷ୍କାର ପାଇଁ ଦାବି ହୋଇଛି ।
ସବୁ ନୀତିନିୟମକୁ ଜଳାଞ୍ଜଳି ଦେଇ ମେରିରାୟ ନୀତିରେ ରାଜ ଚଳାଇଛନ୍ତି ସମବାୟ ସମିତିର ସମ୍ପାଦକ । ଗତ ଶୁକ୍ରବାର ବୌଦ୍ଧ ଜିଲ୍ଲା ମୁଣ୍ଡାପଡା ସମବାୟ ସମିତିର ସମ୍ପାଦକଙ୍କ ମନମୁଖି କାର୍ଯ୍ୟକୁ ନେଇ ଦେଖାଦେଇଥିଲା ଅଚଳାବସ୍ଥା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ, ଯୋଗାଣ ଅଧିକାରୀ ଓ ଏଆରସିଏସ ମଣ୍ଡିରେ ପହଞ୍ଚି ଏଭଳି ଘଟଣାର ପୁନରାବୃତ୍ତି ନକରିବାକୁ ସମ୍ପାଦକ ଲିଖିତ ପ୍ରତିଶ୍ରୁତି ପରେ ପରିସ୍ଥିତି ସାମାନ୍ୟ ହେବା ସହ ଧାନକ୍ରୟର ଶୁଭାରମ୍ଭ ହୋଇଥିଲା ।
![ଧାନବିକ୍ରି କରିବାକୁ ଆସି ଚାଷୀ ଗୁରୁତର](https://etvbharatimages.akamaized.net/etvbharat/prod-images/od-boud-03-satya-pacs2-avb-od10020_13122020184803_1312f_02033_383.jpg)
ତେବେ ଘଟଣାର ଚବିଶ ଘଣ୍ଟା ନପୁରୁଣୁ ପୁଣିଥରେ ଘଟଣାର ପୁନରାବୃତ୍ତି ଘଟିଛି । ଶନିବାର ଜଣେ ଚାଷୀ ଜଣକ ଟୋକନ ପାଇବା ପରେ ସେ ନିଜ ଧାନବିକ୍ରି ପାଇଁ ମଣ୍ଡିକୁ ଧାନ ଆଣିଥିଲେ ମଧ୍ୟ ସମ୍ପାଦକ ଧାନକ୍ରୟ କରି ନଥିଲେ। ଫଳରେ ଚାଷୀ ବାଧ୍ୟ ହୋଇ ସାରାରାତି ମଣ୍ଡି ଆଗରେ ଧାନକୁ ଜଗି ରହିଥିଲେ ।
ରବିବାର ସକାଳୁ ଉକ୍ତ ଚାଷୀଙ୍କୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କରାଯାଇ ବାଉଁଶୁଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏସମ୍ପର୍କରେ ଅଞ୍ଚଳର ଚାଷୀ ଓ ବୁଦ୍ଧିଜୀବୀ ଆଜିପୁଣି ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ । ସମ୍ପୃକ୍ତ ସମ୍ପାଦକଙ୍କୁ ତୁରନ୍ତ ବହିଷ୍କାର କରିବାକୁ ଅଞ୍ଚଳର ଚାଷୀ ଦାବି କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ