ବୌଦ୍ଧ: ଜଙ୍ଗଲ ସମ୍ପଦରେ ଭରପୁର ବୌଦ୍ଧ ଜିଲ୍ଲାରେ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ତତ୍ପର ଜଙ୍ଗଲ ବିଭାଗ । କିନ୍ତୁ ବନ୍ୟଜନ୍ତୁଙ୍କ ଯୋଗୁଁ ବ୍ୟାପକ ଫସଲହାନି ହେଉଥିବା ମଧ୍ୟ ଅଭିଯୋଗ ହୋଇଛି । ବୌଦ୍ଧ ବନଖଣ୍ଡ ଅଧିନରେ ଥିବା ବଘିଆପଡା ଜଙ୍ଗଲ ଅଞ୍ଚଳରେ ଛୋଟବଡ ସାତ ଗୋଟି ଜଙ୍ଗଲୀ ହାତୀ ରହିଥିବା ସୂଚନା ମିଳିଛି ।
ତେବେ ଖାଦ୍ୟ ଅନ୍ବେଷଣରେ ହାତୀପଲ ବଘିଆପଡା, ଟିକରପଡା, ଭୁକ୍ତାପଡା ଭଳି ବିଭିନ୍ନ ଗ୍ରାମ ନିକଟରେ ଥିବା ଚାଷଜମିରେ ପଶି ଧାନ ଓ ଅନ୍ୟାନ୍ୟ ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି । ହାତୀ ସହିତ ବାରହା ଓ ଅନ୍ୟାନ୍ୟ ବନ୍ୟଜନ୍ତୁ ବାରମ୍ବାର ଗରିବ ଚାଷୀଙ୍କ ଧାନ ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି । ତେବେ ଗତବର୍ଷ ମଧ୍ୟ ଏଭଳି ଫସଲ ନଷ୍ଟ ନେଇ ଜଙ୍ଗଲ ଅଧିକାରୀଙ୍କ ନିକଟରେ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଥିଲା ।
![ବନ୍ୟଜନ୍ତୁଙ୍କ ବ୍ୟାପକ ଫସଲ ନଷ୍ଟ, ଗୁହାରି ପରେ ମଧ୍ୟ ମିଳୁନି ସହାୟତା](https://etvbharatimages.akamaized.net/etvbharat/prod-images/od-boud-03-satya-elephant-avb-od10020_07102021183313_0710f_1633611793_1.jpg)
କିନ୍ତୁ ଅଦ୍ୟାବଧି ସରକାରୀ ସହାୟତା ମିଳିପାରି ନଥିବା ବେଳେ ଚଳିତ ବର୍ଷ ପୁଣିଥରେ ଏଭଳି ଘଟଣାର ପୁନରାବୃତ୍ତି ହେବାକୁ ଯାଉଥିବାରୁ ଚାଷୀମାନେ ଆଜି(ଗୁରୁବାର) ବୌଦ୍ଧ ବନଖଣ୍ଡ ଅଧିକାରୀଙ୍କୁ ଗୁହାରୀ ପାଇଁ ପହଞ୍ଚି ଥିଲେ । ସେପଟେ ଆଜି ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଜଙ୍ଗଲ ବିଭାଗ ଏକ ମିନି ମାରାଥନ ଦୌଡର ଆୟୋଜନ କରିଥିଲା ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ