ବୌଦ୍ଧ: କୋରୋନା ଭୟରେ ସବୁଠି ଲକଡାଉନ । ସରକାର ଗାଁ ଠୁ ସହର ସବୁ ସ୍ଥାନରେ ଲକଡାଉନକୁ କଡାକଡି କରିଛନ୍ତି । ମାତ୍ର ବାହ୍ୟଜଗତ ଠାରୁ ଅଧିକାଂଶ ସମୟ ଅଲଗା ହୋଇ ରହୁଥିବା ତଥା ଏକ ବିଛିନ୍ନାଞ୍ଚଳର ଜୀବନଯାପନ କରୁଥିବା ଦୁର୍ଗମ ଅଞ୍ଚଳରେ ଲକଡାଉନର ପ୍ରଭାବ ଜାଣିବାକୁ ଇଟିଭି ଭାରତ ସେଠାରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲା । ବୌଦ୍ଧ ଜିଲ୍ଲାର ଅନ୍ୟତମ ଉପାନ୍ତ ପଞ୍ଚାୟତ ଆମ୍ବଝରୀର ଦୁର୍ଗମ ଅଞ୍ଚଳ ଭାବରେ ପରିଚିତ ମାତାଗାଡୁ ଠାରୁ ଡଙ୍କେଣି ଗଡ ।
ଆମ୍ବଝରୀ ପଞ୍ଚାୟତରେ ଏଭଳି 12ଟି ଦୁର୍ଗମ ଗ୍ରାମ ରହିଛି । ତନ୍ମଧ୍ୟରୁ ପଡମ, ଜିଲେଜୁ, ଭୂତମେଣ୍ଡି, କାମାରକୋଡା, ଡଙ୍କେଣି ଭଳି ଅତ୍ୟନ୍ତ ଦୁର୍ଗମ ଅଞ୍ଚଳକୁ ଆଜି ପର୍ଯ୍ୟନ୍ତ ଗମନାଗମନର ବ୍ୟବସ୍ଥା ନାହିଁ । ତେଣୁ ବଣପାହାଡ ଉପରେ ଥିବା ଏସବୁ ସ୍ଥାନକୁ ଯିବାପାଇଁ ପାଦରେ ଚାଲିଚାଲି ଯିବାକୁ ହୁଏ ।
ଏସବୁ ଅଞ୍ଚଳର ଅଧିବାସୀ ଅତି ଜରୁରୀ କାମ କିମ୍ବା ପିଡିଏସ ସାମଗ୍ରୀ ପାଇଁ 20କିଲୋମିଟର ଦୂର ପଞ୍ଚାୟତ ସଦର ମହକୁମା ଖଜୁରୀପଡାକୁ ଆସିଥାନ୍ତି । ଏବେ କିନ୍ତୁ ଲକଡାଉନ ଯୋଗୁଁ ତାହା ମଧ୍ୟ ବନ୍ଦ ହୋଇଯାଇଛି । ଏବେ କେବଳ ବବଡା ଓ ମାତାଗାଡୁ ପର୍ଯ୍ୟନ୍ତ ଏସବୁ ସରକାରୀ ସହାୟତା ପହଞ୍ଚିବା ପାଇଁ ରାସ୍ତା ଥିବା ବେଳେ ଅନ୍ୟ ସମସ୍ତ ସ୍ଥାନକୁ ପହଞ୍ଚିବା କଷ୍ଟକର ।
ତେଣୁ ଅଦ୍ୟାବଧି ଏଭଳି ଦୁର୍ଗମ ସ୍ଥାନ ଗୁଡିକୁ ସରକାରୀ ସହାୟତା ପହଞ୍ଚି ପାରିନାହିଁ । ସେପଟେ ପଞ୍ଚାୟତ ସଦର ମହକୁମା ଖଜୁରୀପଡା ଠାରେ ଏକ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପଚାଶ ଜଣ ସନ୍ଦିଗ୍ଧଙ୍କ ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ଦୁର୍ଗମ ଅଞ୍ଚଳ ହେତୁ ପିଡିଏସ ସାମଗ୍ରୀ ପହଞ୍ଚାଇବାରେ ସମସ୍ୟା ହେଉଥିବା ସରପଞ୍ଚଙ୍କ ପ୍ରତିନିଧି କହିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ