ବୌଦ୍ଧ: ଧାନ ମଣ୍ଡିରେ ଧରାପଡିଲା ଦଲାଲ ଓ ବେପାରୀଙ୍କ ଧାନ । ବୌଦ୍ଧ ଜିଲ୍ଲା ଏନଫୋର୍ସମେଣ୍ଟ ସ୍କ୍ବାର୍ଡର ଚଢାଉରେ ଏଭଳି ସାଙ୍ଘାତିକ ଘଟଣା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । ଦଲାଲ ଓ ବେପାରୀଙ୍କ କବଜାରେ ଧାନକ୍ରୟ କେନ୍ଦ୍ର ରହିଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିବା ବେଳେ ଏନଫୋର୍ସମେଣ୍ଟ ସ୍କ୍ବାର୍ଡର ଚଢାଉରେ ଧରାପଡିଲା ଏଭଳି ଭୂତ ଚାଷୀଙ୍କ ଧାନ ।
ବୌଦ୍ଧ ଜିଲ୍ଲାର ସମୁଦାୟ ଷାଠିଏ ଗୋଟି ଧାନକ୍ରୟ କେନ୍ଦ୍ର ମଧ୍ୟରୁ ଅନେକ କେନ୍ଦ୍ରରେ ଦଲାଲ ଓ ବେପାରୀଙ୍କ ରାଜ୍ ଚାଲିଥିବା ଅଭିଯୋଗ ହେଉଥିଲା । ଏହାକୁ ରୋକିବାକୁ ଜିଲ୍ଲା ସ୍ତରରେ ଏନଫୋର୍ସମେଣ୍ଟ ଟିମ ଗଠନ ହୋଇ ଚଢ଼ାଉ ଆରମ୍ଭ ହୋଇଛି।
ମଙ୍ଗଳବାର ବୌଦ୍ଧ ଉପଜିଲ୍ଲାପାଳ ଅଶ୍ବିନୀ କୁମାର ମେହେର ଓ ଯୋଗାଣ ଅଧିକାରୀ ବିଭୁଦତ୍ତ ଆଚାର୍ଯ୍ୟଙ୍କ ନେତୃତ୍ତ୍ବରେ ଏନଫୋର୍ସମେଣ୍ଟ ଟିମ ଖୁଣ୍ଟବନ୍ଧ ଠାରେ ଚଢ଼ାଉ କରି ଏକ ନିର୍ଦ୍ଦିଷ୍ଟ ବ୍ୟବସାୟ ପ୍ରତିଷ୍ଠାନ ନିକଟରୁ ବେପାରୀ ଓ ଦଲାଲଙ୍କ ଧାନ ଜବତ କରାଯାଇଛି । ତିନି ଦିନ ପୂର୍ବରୁ ହରଭଙ୍ଗା ଠାରେ ଚଢ଼ାଉ କରାଯାଇ ବିନା ଦାବିଦାର ଧାନକୁ ଜବତ କରାଯାଇଥିବା ବେଳେ ମଙ୍ଗଳବାର ଖୁଣ୍ଟବନ୍ଧ ଠାରେ ଚଢ଼ାଉ କରାଯାଇ ଏକ ଗାଡିରୁ 192 ବସ୍ତା ଧାନ ଓ ଧାନ ମଣ୍ଡିରୁ 96 ବସ୍ତା ଧାନକୁ ସ୍କ୍ବାର୍ଡ ଜବତ କରିଛି । ସେପଟେ ବହିରା ମଣ୍ଡିରେ ଠିକରେ ଧାନକ୍ରୟ ହେଉନଥିବା ଅଭିଯୋଗର ତଦନ୍ତ କରି ସେଠାରୁ କିଭଳି ଅଧିକ ଧାନକ୍ରୟ କରାଯାଇପାରିବ ସେନେଇ ଯୋଗାଣ ବିଭାଗ ପଦକ୍ଷେପ ଗ୍ରହଣ କରିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ।
ତେବେ ଏତେ ପରିମାଣର ଧାନ କିଭଳି ଓ କେଉଁ ପରିସ୍ଥିତିରେ ମଣ୍ଡିକୁ ଆସିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଏହି କାର୍ଯ୍ୟରେ ବିଭାଗୀୟ କର୍ମଚାରୀଙ୍କ ହାତ ଥିବା ଚର୍ଚ୍ଚା ହେଉଛି ।
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ