ବୌଦ୍ଧ: ଦୀର୍ଘ 8 ଦିନ ପରେ ତେଲନଦୀ ପାର ହୋଇ ଫେରିଲେ ୧୨ ଟିକିଆ ହାତୀପଲ । ତେଲନଦୀ କୂଳରେ ବିଭିନ୍ନ ସ୍ଥାନରେ ଅଟକି ରହିବା ପରେ ଶେଷରେ ତେଲନଦୀ ପାର ହୋଇ ପଡ଼ୋଶୀ ଜିଲ୍ଲାର ଜଙ୍ଗଲକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ହାତୀପଲ । ତେଲନଦୀରେ ବନ୍ୟାଜଳ ହ୍ରାସ ହେବାପରେ ଛୁଆଁ ହାତୀଙ୍କୁ ପାର କରି ହାତୀପଲ ଫେରି ଯାଇଛନ୍ତି । ଅନ୍ୟପଟେ ହାତୀମାନେ ବିଭିନ୍ନ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମ ନିକଟରେ ଚଳପ୍ରଚଳ ଯୋଗୁଁ ସ୍ଥାନୀୟ ଅଧିବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଏଥି ସହିତ ବ୍ୟାପକ ଫସଲ ନଷ୍ଟ ଯୋଗୁଁ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି ।
ସୂଚନା ମୁତାବକ, ଗତ କିଛି ବର୍ଷ ହେଲା ବାରମ୍ବାର ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବନାଞ୍ଚଳର ବିଭିନ୍ନ ସ୍ଥାନରେ ୩୦ରୁ ଉର୍ଦ୍ଧ୍ବ ହାତୀ ମାନଙ୍କର ଚଳପ୍ରଚଳ ରହିଆସିଛି । ଗତ ୮ ଦିନ ତଳେ କଣ୍ଟାମାଳ ବନାଞ୍ଚଳ ଅନ୍ତର୍ଗତ ଘଣ୍ଟାପଡା ପଞ୍ଚାୟତର ମାଣିକପୁର ନିକଟରେ ତେଲନଦୀ ଭିତରେ ଗୋଟିଏ ବାର ଟିକିଆ ହାତୀପଲ ଫସି ରହିଥିଲେ । ହାତୀପଲରୁ ୪ ଗୋଟି ଛୋଟ ହାତୀ ସହିତ ୮ ଗୋଟି ବଡ଼ ହାତୀ ରହିଥିବା ବେଳେ ଏମାନେ ପଡୋଶୀ ସୋନପୁର ଜିଲ୍ଲା ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଚାଲି ଆସିଥିଲେ । ଏହି ହାତୀପଲ ତେଲନଦୀ କୂଳରେ ଅବସ୍ଥିତ ବିଭିନ୍ନ ଗ୍ରାମ ନିକଟବର୍ତ୍ତୀ ବୁଦା, ଗଛ ମୂଳରେ ଆଶ୍ରୟ ନେଇ ରହିଥିଲେ । ହାତୀପଲଙ୍କୁ ଘଉଡ଼ାଇବାକୁ ବୌଦ୍ଧ ବନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ସତ୍ତ୍ୱେ କୌଣସି ସୁଫଳ ମିଳିନଥିଲା ।
ଏହା ମଧ୍ୟ ପଢନ୍ତୁ- ତେଲନଦୀରେ ହାତୀପଲ, ଆତଙ୍କିତ ଅଞ୍ଚଳବାସୀ
ସେପଟେ କଣ୍ଟାମାଳ ବନାଞ୍ଚଳର ଘଣ୍ଟାପଡ଼ା, ବରଗାଁ, ନାରାୟଣ ପ୍ରସାଦ ଭଳି ପଞ୍ଚାୟତର ବିଭିନ୍ନ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମ ନିକଟରେ ବାରମ୍ବାର ହାତୀମାନଙ୍କର ଚଳପ୍ରଚଳ ରହୁଥିବାରୁ ଗ୍ରାମବାସୀମାନେ ଆତଙ୍କିତ ଅବସ୍ଥାରେ ରହି ଆସୁଛନ୍ତି । ସେହିପରି ହାତୀ ଚଳପ୍ରଚଳ ଯୋଗୁଁ ବିଦ୍ୟୁତ କାଟ ହେଉଥିବାରୁ ସାଧାରଣ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ହେଲେ ଏନେଇ ବନ ବିଭାଗ ପକ୍ଷରୁ ସେଭଳି ସ୍ଥାନରେ କୌଣସି ସୂଚନା ଫଳକ କିମ୍ବା କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ସ୍ଥାନୀୟ ଅଧିବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେପଟେ ବର୍ତ୍ତମାନ ଧାନ ଅମଳ ସମୟରେ ଏଭଳି ହାତୀପଲଙ୍କ ପ୍ରାଦୁର୍ଭାବ ତଥା ଫସଲ ନଷ୍ଟର ଅଧିକ ଆଶଙ୍କା ରହିଥିବା ବେଳେ ଚାଷୀମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ସହାୟତା ଠିକରେ ମିଳିପାରୁ ନଥିବା ଅଭିଯୋଗ ହୋଇଛି ।
ଇଟିଭି ଭାରତ, ବୌଦ୍ଧ