ବୌଦ୍ଧ: ଜଙ୍ଗଲୀ ହାତୀ ପଲ ଆଦିବାସୀଙ୍କ ଘର ନଷ୍ଟ କରିବା ସହ ବ୍ୟାପକ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି । ସମ୍ପୃକ୍ତ ଅଞ୍ଚଳରେ ଜଙ୍ଗଲ ବିଭାଗ ହାତୀ ସମ୍ପର୍କରେ ସୂଚନା ପ୍ରଦାନ ପାଇଁ ଦାବି ହୋଇଛି ।
ସୂଚନା ମୁତାବକ ବୌଦ୍ଧ ବନଖଣ୍ଡ ଅଧିନରେ ଥିବା ବଘିଆପଡା ଜଙ୍ଗଲର ବେରେଡାବାରି ଅଞ୍ଚଳରେ ଥିବା ପଲସାଦାଦର ଠାରେ ବସବାସ କରୁଥିବା ଗରିବ ଆଦିବାସୀ ପରିବାରଙ୍କ ଘର ଲଗାତାର ଦୁଇ ଦୁଇଥର ହାତୀ ପଲ ନଷ୍ଟ କରିଦେଇଥିବା ଜଣାପଡିଛି । ସମୁଦାୟ ସାତ ଗୋଟି ଛୋଟ ବଡ ହାତୀ ଦଳବଦ୍ଧ ହୋଇ ପ୍ରତ୍ୟେକ ଦିନ ରାତିରେ ଏସବୁ ଅଞ୍ଚଳରେ ଖାଦ୍ୟ ଅନ୍ବେଷଣରେ ଚାଲିଆସି ବ୍ୟାପକ ଫସଲ ନଷ୍ଟ କରିବା ସହ କଚ୍ଚା ଘର ଭାଙ୍ଗି ଦେଉଥିବା ସୂଚନା ମିଳିଛି ।
ସମୟ ସମୟରେ ଜନବସତି ଆଡକୁ ମୁହାଁଉଥିବା ହାତୀ ପଲଙ୍କ ପାଇଁ ମଣିଷଙ୍କ ନିମନ୍ତେ ବିପଦ ସୃଷ୍ଟି ହୋଇଛି । ସେପଟେ ଏଭଳି ସମ୍ବେଦନଶୀଳ ସ୍ଥାନରେ ହାତୀ ଚଲାପଥ ଓ ଅନ୍ୟାନ୍ୟ ହାତୀ ସମ୍ପର୍କିତ ସୂଚନା ଜଙ୍ଗଲ ବିଭାଗ ପ୍ରଦାନ ପାଇଁ ବୁଦ୍ଧିଜୀବୀ ଦାବି କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ