ବୌଦ୍ଧ: ପ୍ରବଳ ଗ୍ରୀଷ୍ମପ୍ରବାହ ସମୟରେ ପାନୀୟଜଳ କଷ୍ଟ ଚିନ୍ତାକୁ ଆହୁରି ବଢାଇଛି । ଜିଲ୍ଲାର ଅନେକ ସ୍ଥାନରେ ଜଳସ୍ତର ହ୍ରାସ ସହିତ ନଳକୂପ ଅନେକ ସ୍ଥାନରେ ଅଚଳ ହୋଇ ପଡିଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଜିଲ୍ଲା ସଦର ମହକୁମା ନିକଟସ୍ଥ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ମାଉଳିସିଙ୍ଗାରେ ମଧ୍ୟ ପାନୀୟଜଳର ଉତ୍କଟ ସମସ୍ୟା ଦେଖାଦେଇଛି ।
ଗୋଟିଏ ପଟରେ ଗରମ ଗୁଳୁଗୁଳି ଓ ଅନ୍ୟ ପଟରେ ପାନୀୟଜଳ ସମସ୍ୟା, ସମସ୍ତଙ୍କୁ ବେଶ ଚିନ୍ତିତ କରିଛି । ଅନେକ ପଞ୍ଚାୟତରେ ଭୂତଳ ଜଳ ହ୍ରାସ ପାଉଥିବା ବେଳେ କେତେକ ସ୍ଥାନରେ ନଳକୂପ ଅଚଳ ହୋଇ ପଡିଛି । ପାନୀୟଜଳର ସମସ୍ୟା ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ କେବଳ ସିମୀତ ନରହି ଖାସ ଜିଲ୍ଲା ସଦର ମହକୁମା ନିକଟରେ ଥିବା ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥିବାରୁ ପାଣି ସଂଗ୍ରହ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟକୁ ଆସିବାକୁ ପଡୁଛି । ଗତ ସପ୍ତାହେ ଧରି ପାଣିପାଗରେ ପରିବର୍ତ୍ତନ ଯୋଗୁଁ ବୌଦ୍ଧ ଜିଲ୍ଲାରେ ବର୍ଷା ଛାଇ ଯୋଗୁଁ ଜିଲ୍ଲାବାସୀ ଅଳ୍ପ ଆଶ୍ବସ୍ତି ଲାଭ କରିଥିଲେ । ତେବେ ଗତ ଦୁଇ ଦିନ ହେଲା ପୁଣି ଥରେ ମୁଣ୍ଡଫଟା ଖରା ଓ ଗୁଳୁଗୁଳି ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ଆଉ ଏଭଳି ସମୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାନୀୟଜଳର ଉତ୍କଟ ସମସ୍ୟା ସମସ୍ତଙ୍କୁ ଚିନ୍ତିତ କରିଛି । ବିଶେଷ ଭାବରେ ମହାନଦୀ କୂଳରେ ଥିବା ହରଭଙ୍ଗା ବ୍ଲକର ବିଭିନ୍ନ ପଞ୍ଚାୟତରେ ପାନୀୟଜଳକୁ ନେଇ ସମସ୍ୟା ଲାଗି ରହିଛି ।
ହରଭଙ୍ଗା ବ୍ଲକର ଅନେକ ପଞ୍ଚାୟତରେ ଓଭରହେଡ ଟାଙ୍କିରୁ ଜଳଯୋଗାଣ ଓ ସୋଲାର ପ୍ରକଳ୍ପ ସମସ୍ୟା ଯୋଗୁଁ ଲୋକେ ପାନୀୟଜଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକ ସ୍ଥାନରେ ଜଳସ୍ତର ହ୍ରାସ ଓ ନଳକୂପ ଅଚଳ ଯୋଗୁଁ ଲୋକେ ବାଧ୍ୟ ହୋଇ ଶୁଖିଲା ଝରଣାର ଶଯ୍ୟାରୁ ଚୁଆଖୋଳି ପାନୀୟଜଳ ସଂଗ୍ରହ କରୁଥିବା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି । ବିଶେଷ ଭାବରେ ହରଭଙ୍ଗା ବ୍ଲକର କୁଶଙ୍ଗ, ଛତ୍ରଙ୍ଗ, ଆଢେଣୀଗଡ, ତଳଗାଁ, ମହାଲିକପଡା ଭଳି ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତର ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ପାନୀୟଜଳର ଉତ୍କଟ ସମସ୍ୟା ପରିଲକ୍ଷିତ ହୋଇଛି । ଏନେଇ ତୁରନ୍ତ ଜିଲ୍ଲା ପ୍ରଶାସନ ଓ ଗ୍ରାମ୍ୟ ଜଳଯୋଗାଣ ବିଭାଗ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।
ଇଟିଭି ଭାରତ, ବୌଦ୍ଧ