ବୌଦ୍ଧ: ଅଲୋଡା ହେଲେ କାଳିଆ ଠାକୁର । ପୁଣିଥରେ କୋଟିଆ ଓଡିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କୁ ଅସମ୍ମାନ(Disrespect to Lord Jagannath) । ତାହା ପୁଣି ଅନ୍ୟ କେଉଁଠି ନୁହେଁ, ଖୋଦ୍ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ । ବୌଦ୍ଧ ଜିଲ୍ଲାରୁ ସାମ୍ନାକୁ ଆସିଛି ଏହିଭଳି କିଛି ଅଭାବନୀୟ ଦୃଶ୍ୟ । ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛାତ ଉପରେ ବିଶ୍ବନିୟନ୍ତା ଜଗନ୍ନାଥଙ୍କ ଏକ ସୋଲ ପ୍ରତିମା ଫୋପାଡି ଦିଆଯାଇଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ ହୋଇଛି ।
ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଉପର ମହଲାରେ ଦୀର୍ଘ ଦିନ ହେଲା ସୋଲରେ ନିର୍ମିତ ଶ୍ରୀଜଗନ୍ନାଥଙ୍କ ପ୍ରତିମା ରଖାଯାଇଥିଲା । ପ୍ରତିମାକୁ ପୂଜା କରାଯାଉ ନଥିବା ବେଳେ ବୌଦ୍ଧ ମହୋତ୍ସବ ପରେ ସେଠାରୁ ଉକ୍ତ ପ୍ରତିମୂର୍ତ୍ତିକୁ ଅଣାଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରଖାଯାଇଥିଲା । ତେବେ ଗତ ଦୁଇ ଦିନ ତଳେ ଉକ୍ତ ସୋଲର ଶ୍ରୀଜଗନ୍ନାଥଙ୍କ ପ୍ରତିମାକୁ ଛାତର ଏକ କୋଣରେ ଫୋପାଡ଼ି ଦିଆଯାଇଥିବା ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା ।
ତେବେ ଏଭଳି ଖବର ସୂଚନା ମିଳିବା ପରେ ପ୍ରଶାସନ ପକ୍ଷରୁ ଉକ୍ତ ଭଙ୍ଗା ପ୍ରତିମାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଏଭଳି ଘଟଣାକୁ ନେଇ ବୌଦ୍ଧ ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ କିଏ ଓ କେଉଁ ପରିସ୍ଥିତିରେ ଠାକୁରଙ୍କୁ ସେଠାରେ ରଖିଲା ସେ ସମ୍ପର୍କରେ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
କହିରଖୁଛୁ କି, କିଛି ଦିନ ତଳେ ଏକ ପିକ୍ଅପ୍ ଭ୍ୟାନରେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିକୁ ବାନ୍ଧି ନିଆଯାଉଥିବା ଏକ ଭିଡିଓ ଭାଇରାଲ ହୋଇଥିଲା । ଯାହା ହଜାର ହଜାର ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଥିଲା । ଶିବଶକ୍ତି ଟେଣ୍ଟ ହାଉସର କର୍ମଚାରୀ ଜଗନ୍ନାଥଙ୍କୁ ଏପରି ବାନ୍ଧି ନେଉଥିଲେ । ବାଲେଶ୍ଵର 60 ନମ୍ବର ଜାତୀୟ ରାଜପଥ ହଳଦୀପଦା ନିକଟରେ ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ଏହାର ଭିଡିଓ ରେକର୍ଡିଂ କରିଥିଲେ । ଏହାକୁ ନେଇ ଚାରିଆଡେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।
ଏହାମଧ୍ୟ ପଢନ୍ତୁ: ମହାପ୍ରଭୁଙ୍କୁ ଅବମାନନା ଘଟଣା, କ୍ଷମା ପ୍ରାର୍ଥନା କଲେ ଟେଣ୍ଟ ମାଲିକ
ପରବର୍ତ୍ତୀ ସମୟରେ ଟେଣ୍ଟ ମାଲିକ ଓ କର୍ମଚାରୀ ଜଗନ୍ନାଥ ମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କୁ କ୍ଷମା ପ୍ରର୍ଥନା କରିଥିଲେ । ଏମିତିକି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଗରେ ସମସ୍ତେ କାନ ଧରି ଆଉ କେବେ ବି ଏଭଳି ଭୁଲ ହେବ ନାହିଁ ବୋଲି କହିଥିଲେ ।
ଇଟିଭି ଭାରତ, ବୌଦ୍ଧ