ବୌଦ୍ଧ : ଦେବ ଦେବ ମହାଦେବଙ୍କ ଜାଗର ଯାତ୍ରା ଉପରେ ଲାଗିଥିବା କଟକଣାର ପ୍ରଭାବ ଦେଖିବାକୁ ମିଳିଥିଲା । ଆଜି ବୌଦ୍ଧ ଜିଲ୍ଲାର ବିଭିନ୍ନ ଶୈବପୀଠ ଗୁଡିକରେ କରୋନା କଟକଣାକୁ ଦୃଷ୍ଟିରେ ରଖି ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ କେବଳ ଦର୍ଶନର ସୁଯୋଗ ମିଳିଥିବା ବେଳେ ପ୍ରଶାସନ ପକ୍ଷରୁ ଅନ୍ୟ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ ନିର୍ଦ୍ଦେଶ ଦିଆଯାଇଛି ।


ବୌଦ୍ଧ ଜିଲ୍ଲାର ବିଶ୍ବ ପ୍ରସିଦ୍ଧ ଗନ୍ଧରାଡିର ଚାରଶମ୍ଭୁ ଓ ରାମେଶ୍ୱର ଶୈବପୀଠ ସହିତ ଚନ୍ଦ୍ରଚୂଡ, ମାତଙ୍ଗେଶ୍ବର, କରଡି, ଧଳପୁର, ରାମଗଡ, ଅମୁର୍ଡା, ମନମୁଣ୍ଡା ଓ କଣ୍ଟାମାଳ ଅଞ୍ଚଳର ପ୍ରାଚୀନ ଶୈବପୀଠ ଗୁଡିକରେ କଟକଣାକୁ କଡାକଡି ପାଳନ କରାଯାଇଛି ।

ସେହିପରି ବୌଦ୍ଧସ୍ଥିତ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ବରୀୟ ବିଶ୍ବ ବିଦ୍ୟାଳୟ ପକ୍ଷରୁ ଶିବରାତ୍ରିର ସମସ୍ତ କାର୍ଯ୍ୟକ୍ରମ ବାତିଲ କରି ସଦସ୍ୟ ମାନେ ବିଭିନ୍ନ ବସ୍ତିକୁ ଯାଇ ବିଭୁ ବାର୍ତ୍ତା ପ୍ରଚାର କରିଥିଲେ ।

ସେପଟେ ବୌଦ୍ଧ ଜିଲ୍ଲାର ଅନ୍ୟତମ ପ୍ରାଚୀନ ଶୈବପୀଠ ବାଉଁଶୁଣୀର ଭୁବନେଶ୍ୱର ମନ୍ଦିର ଠାରେ ରାଜ୍ୟ ଶ୍ରମ ମନ୍ତ୍ରୀ ସୁଶାନ୍ତ କୁମାର ସିଂ ପହଞ୍ଚି ତ୍ରିକାଳ ମହାଦେବଙ୍କ ଦର୍ଶନ କରିଥିଲେ । ଏହି ଅବସରରେ ଶ୍ରମ ମନ୍ତ୍ରୀ ଧ୍ବଂସ ପ୍ରାୟ ଅବସ୍ଥାରେ ଥିବା ଏହି ପ୍ରାଚୀନ ଶୈବପୀଠର କିଭଳି ସୁରକ୍ଷା ହୋଇପାରିବ ସେନେଇ ପାରିପାର୍ଶ୍ବିକ ଅଞ୍ଚଳ ବୁଲି ଦେଖିଥିଲେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ