ବୌଦ୍ଧ: ଧିମେଇ ଯାଇଛି ବହୁ ପ୍ରତିକ୍ଷୀତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ କାର୍ଯ୍ୟ (Construction of khurda-balangir railway project) । ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେଉଥିବାରୁ ତିନି ଜିଲ୍ଲାର ଅଧିବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ରେଳ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ତ୍ବରାନ୍ବିତ କରାନଗଲେ ଲୋକେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି (demands to expedite khurda balangir railway project) ।
ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଏକ ଦୀର୍ଘ ଦିନର ପ୍ରକଳ୍ପ ହୋଇଥିବା ବେଳେ ବର୍ତ୍ତମାନ ଏହା କେବଳ ବଲାଙ୍ଗୀର ଓ ନୟାଗଡ଼ ଜିଲ୍ଲାର କେତେକ ଅଞ୍ଚଳକୁ ସଂଯୋଗ ହୋଇ ପାରିଛି । କିନ୍ତୁ ପ୍ରକଳ୍ପର ସର୍ବାଧିକ ରାସ୍ତା ଯାଉଥିବା ବୌଦ୍ଧ ଜିଲ୍ଲାରେ ଅଦ୍ୟାବଧି ୫୦ ପ୍ରତିଶତ କାର୍ଯ୍ୟ ମଧ୍ୟ ଆଗେଇ ପାରିନାହିଁ । ଏହାଛଡା ପୁରୁଣାକଟକଠାରୁ ବାଣୀଗୋଛା ପର୍ଯ୍ୟନ୍ତ ରେଳପଥର କୌଣସି କାର୍ଯ୍ୟ ଆଗେଇନାହିଁ । ଯାହାକୁ ନେଇ ଗଭୀର ଉଦବେଗ ପ୍ରକାଶ ପାଇଛି । ରବିବାର ବଲାଙ୍ଗୀର ରେଳ କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତିନିଧି ମଣ୍ଡଳୀ, ବୌଦ୍ଧ ଓ ସୋନପୁର ଜିଲ୍ଲାର ପ୍ରତିନିଧି ଓ ସାମାଜିକ ସଂଗଠନର କର୍ମକର୍ତ୍ତାଙ୍କ ମଧ୍ୟରେ ଏକ ଜରୁରୀ ବୈଠକ ଆୟୋଜନ ହୋଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ: RTI ତଥ୍ୟରୁ ବଡ ଖୁଲାସା: ଜାଣନ୍ତୁ କେବେ ସରିବ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାମ ?
ଏନେଇ ବଲାଙ୍ଗୀର ରେଳପଥ କ୍ରିୟାନୁଷ୍ଠାନ ସଦସ୍ୟ କହିଛନ୍ତି, "ଲୋକଙ୍କ ଭାବାବେଗ ସହ ଖେଳୁଛନ୍ତି ସରକାର । ୨୦୦୧ ମସିହାରେ ଏହି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିଲା । ୨୦୦୮ ମସିହା ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ହେବା ନେଇ ସରକାର ଉଲ୍ଲେଖ କରିଥିଲେ । କିନ୍ତୁ ୨୦୨୨ ହୋଇସାରିଥିଲେ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇପାରି ନାହିଁ ।"
ତେଣୁ ଆଗାମୀ ଦିନରେ ତିନି ଜିଲ୍ଲା ଏକାଠି ହୋଇ ସରକାରଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିବ ବୋଲି କୁହାଯାଇଛି । ଖୁବ ଶୀଘ୍ର ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଦାବି କରାଯିବ । ନଚେତ ଆଗାମୀ ଦିନରେ ତିନି ଜିଲ୍ଲା ମିଶି ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ।
ଇଟିଭି ଭାରତ, ବୌଦ୍ଧ