ବୌଦ୍ଧ: ଜିଲ୍ଲାରେ ଖେଳ ଓ ଖେଳପଡିଆର ବିକାଶ ନେଇ ଜିଲ୍ଲାର ବରିଷ୍ଠ କ୍ରୀଡାବିତମାନେ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି । ବୌଦ୍ଧ ଜିଲ୍ଲାରେ କ୍ରିକେଟ, ଫୁଟବଲ, ଆଥଲେଟ ସହିତ ବିଭିନ୍ନ ଇନଡୋର ଗେମ ତଥା ସର୍ବୋପରି ସନ୍ତରଣକୁ ନେଇ ଅନେକ ଜାତୀୟ ସ୍ତରର କ୍ରୀଡାବିତ ସୃଷ୍ଟି ହୋଇଛନ୍ତି । କିନ୍ତୁ, ବର୍ତ୍ତମାନ ସମୟରେ କ୍ରୀଡାର ଭିତ୍ତିଭୂମି ବିକାଶ ଠିକଭାବେ ହୋଇପାରୁ ନଥିବା କାରଣରୁ କ୍ରୀଡାର ଭବିଷ୍ୟତକୁ ନେଇ ଗଭୀର ଉଦବେଗ ପ୍ରକାଶ ପାଇଛି ।
ଜିଲ୍ଲା ସଦର ମହକୁମାରେ ଗତ ପ୍ରାୟ କୋଡିଏ ବର୍ଷ ତଳେ ଆରମ୍ଭ ହୋଇଥିବା ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଅଦ୍ୟାବଧି ସମ୍ପୂର୍ଣ୍ଣ ହୋଇପାରୁ ନାହିଁ । ଏହାର ପରିସରରେ ଥିବା ଜିଲ୍ଲା ସନ୍ତରଣାଗାର ଏକାଧିକ ବାର ଉଦଘାଟନ ହେଉଥିଲେ ମଧ୍ୟ ବର୍ତ୍ତମାନ ଉକ୍ତ ଅଞ୍ଚଳ ଗାଈଗୋରୁଙ୍କ ଚାରଣଭୂମି ପାଲଟିଛି । ଏହା ସହିତ ଜିଲ୍ଲାର ସମସ୍ତ 69 ଗୋଟି ପଞ୍ଚାୟତରେ କ୍ରୀଡାର ବିକାଶ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଯୋଗାଇ ଦେଉଥିଲେ ମଧ୍ୟ ତିରିଶ ପ୍ରତିଶତ ପଡିଆ ମଧ୍ୟ ଜିଲ୍ଲାର ପଞ୍ଚାୟତ ଅଞ୍ଚଳରେ ନାହିଁ । କେବଳ ସରକାରୀ ଅର୍ଥକୁ ବାଟ ମାରଣା କରି ଠିକାଦାର ପୋଷା ଚାଲିଛି । ଏସମ୍ପର୍କରେ ଜିଲ୍ଲାର ବରିଷ୍ଠ କ୍ରୀଡାବିତମାନେ ଗଭୀର ଉଦବେଗ ପ୍ରକାଶ କରିବା ସହିତ ଏହାର ବିକାଶ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସେମାନେ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି । କ୍ରୀଡା ଅଧିକାରୀଙ୍କ କାର୍ଯ୍ୟକାରିତାକୁ ନେଇ ଦୀର୍ଘ ଦିନ ହେଲ୍ଲା ଜିଲ୍ଲାର କ୍ରୀଡା ପ୍ରେମୀ ପ୍ରଶ୍ନବାଚୀ ସୃଷ୍ଟି କରିଥିବାବେଳେ ଏନେଇ ଜିଲ୍ଲା ପ୍ରଶାସନର ପ୍ରତିକ୍ରିୟା ମିଳିପାରି ନାହିଁ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ