ବୌଦ୍ଧ: ଅସହାୟ ଅବସ୍ଥାରେ ଦୁର୍ଘଟଣାରେ ଗୁରୁତର ଆହତ ଭିନ୍ନକ୍ଷମ ଯୁବକ । ନିଜ ଭିନ୍ନକ୍ଷମ ବୃଦ୍ଧ ପିତା ଓ ବୃଦ୍ଧା ମାଙ୍କ ସେବା କରିବା ବୟସରେ ସେ ଭିନ୍ନକ୍ଷମ ପିତାମାତାଙ୍କ ଦ୍ବାରା ସେବା ଶୁଶ୍ରୁଷା ହେଉଛନ୍ତି ।
ଭିନ୍ନକ୍ଷମ ପିତାମାତାଙ୍କ ଦ୍ବାରା ସେବା ଶୁଶ୍ରୁଷା ହେଉଛନ୍ତି ଦୁର୍ଘଟଣାରେ ଭିନ୍ନକ୍ଷମ ଯୁବପୁଅ । ଯେଉଁ ବୟସରେ ବୃଦ୍ଧ ପିତାମାତାଙ୍କ ସେବାରେ ପୁଅ ସମୟ ଦେବା କଥା ସେହି ବୟସରେ ବୃଦ୍ଧ ପିତାମାତାଙ୍କ ଦ୍ବାରା ଭିନ୍ନକ୍ଷମ ପୁଅ ସେବା ପାଉଛନ୍ତି । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ରାଧାନଗର ପଞ୍ଚାୟତ ବଡବାଗବର ଗ୍ରାମରେ । ଗ୍ରାମର ଜିତେନ୍ଦ୍ର ଦେହୁରୀ ଗତ ପ୍ରାୟ ଛ ବର୍ଷ ତଳେ ଏକ ରାସ୍ତା ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ।
ଚିକିତ୍ସା ପାଇଁ ତାଙ୍କୁ ବୌଦ୍ଧ ଡାକ୍ତରଖାନାରୁ ନେଇ କଟକ ବଡ ଡାକ୍ତରଖାନା ପର୍ଯ୍ୟନ୍ତ ନିଆଯାଇଥିଲେ ମଧ୍ୟ ଅର୍ଥାଭାବରୁ ତାଙ୍କ ଚିକିତ୍ସା ହୋଇ ପାରିନଥିବା ଅଭିଯୋଗ ହୋଇଛି । ଚିକିତ୍ସା ପାଇଁ ତାଙ୍କ ସବୁକିଛି ଜମିବାଡି ବିକ୍ରି ସାରିସାରିଥିବାବେଳେ ତାଙ୍କ ନିକଟରେ ଥିବା ଵିଜୁ ସ୍ବାସ୍ଥ୍ୟ କାର୍ଡ ମଧ୍ୟ କାର୍ଯ୍ୟରେ ଲାଗୁ ନଥିବା ସୂଚନା ମିଳିଛି । ପାଖ ପଡୋଶୀଙ୍କ ସହଯୋଗରେ ବର୍ତ୍ତମାନ ଉକ୍ତ ପରିବାର ବଞ୍ଚିଥିବାବେଳେ ସରକାରୀ ସହାୟତା ଜରୁରୀ ହୋଇପଡିଛି ।
ସେମାନଙ୍କ ନିକଟରେ କୌଣସି ସରକାରୀ ଯୋଜନା ପହଞ୍ଚିପାରି ନଥିବାବେଳେ ତୁରନ୍ତ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏହି ଅସହାୟ ପରିବାରକୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ