ବୌଦ୍ଧ: ପଶ୍ଚିମ ଓଡିଶାର ପ୍ରବେଶ ପଥ କଣ୍ଟାମାଳ ବ୍ଲକର ପ୍ରାଚୀନ ବାଣିଜ୍ୟିକ ପେଣ୍ଠସ୍ଥଳ ମନମୁଣ୍ଡା । ଚିରସ୍ରୋତା ମହାନଦୀ ଓ ତେଲନଦୀର ସଂଗମ ସ୍ଥଳରେ ଥିବା ମନମୁଣ୍ଡା ନିକଟସ୍ଥ ଐତିହାସିକ ଅସୁରଗଡ ଅତୀତର ମୁକସାକ୍ଷୀ ହୋଇ ରହିଛି । କିନ୍ତୁ ମନମୁଣ୍ଡା ଏବେ ବିବିଧ ସମସ୍ୟା ନେଇ ଗତି କରୁଛି । ଏଠାରେ ଜନସଂଖ୍ୟା ବୃଦ୍ଧି ହେଉଥିବା ବେଳେ ଏନଏସିର ମାନ୍ୟତା ପାଇଁ ଦୀର୍ଘ ବର୍ଷ ହେଲା ଦାବି ହୋଇ ଆସୁଛି । କିନ୍ତୁ ଏଥି ପ୍ରତି କେହି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।
ମନମୁଣ୍ଡାର ବୟନ ଶିଳ୍ପ ସାରା ରାଜ୍ୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି । ଜିଲ୍ଲାର ଏହି ପ୍ରମୁଖ ସ୍ଥାନ ଉପରେ ଡାକ୍ତରଖାନା, ଥାନା, ବିଦ୍ୟୁତ ଓ ବ୍ୟବସାୟ ପାଇଁ ପ୍ରାୟ ଆଠଟି ପଞ୍ଚାୟତର ଅଧିବାସୀ ନିର୍ଭର କରିଥାନ୍ତି । ତେବେ ଆଶ୍ଚର୍ଯ୍ୟର କଥା ମହାନଦୀ ଓ ତେଲନଦୀ କୂଳରେ ଅବସ୍ଥିତ ମନମୁଣ୍ଡା ଅଞ୍ଚଳରେ ପାନୀୟଜଳର ସମସ୍ୟା ସଦା ସର୍ବଦା ଲାଗିରହୁଛି ।
ଅନ୍ୟପଟେ ମନମୁଣ୍ଡା ଦେଇ 57 ନମ୍ବର ଜାତୀୟ ରାଜପଥ ଯାଇଥିବା ବେଳେ ପଶ୍ଚିମ ଓଡିଶାର ପ୍ରବେଶ ପଥ ଭାବରେ ପରିଚିତ ତେଲନଦୀ ସେତୁ ଅତ୍ୟନ୍ତ ଦୁର୍ବଳ ହୋଇ ପଡିଛି । ଦୀର୍ଘ ପ୍ରାୟ ପଚାଶ ବର୍ଷ ତଳେ ଏହି ସେତୁ ନିର୍ମାଣ ହୋଇଥିବା ବେଳେ ବର୍ତ୍ତମାନ ତେଲନଦୀ ଉପରେ ଦ୍ବିତୀୟ ସେତୁର ନିର୍ମାଣର ଆବଶ୍ୟକତା ରହିଛି ମନମୁଣ୍ଡା ଦେଇ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ମନମୁଣ୍ଡା କେବଳ ଏକ ପଞ୍ଚାୟତରେ ସୀମିତ ରହିଛି । ଏହି ଅଞ୍ଚଳକୁ ଦୀର୍ଘ ବର୍ଷ ହେଲା ଏକ ପୌରାଞ୍ଚଳ ନିମନ୍ତେ ଦାବି କରାଯାଉଥିଲେ ମଧ୍ୟ ଏନେଇ କୌଣସି ଅଗ୍ରଗତି ହୋଇପାରିନାହିଁ ।
ମନମୁଣ୍ଡା ଠାରେ ଗଡଜାତ ଶାସନ କାଳରୁ ଥିବା ଗୃହରେ ରାଜସ୍ୱ ଓ ପ୍ରାଣୀଧନ କାର୍ଯ୍ୟାଳୟ ଚାଲୁଥିବା ବେଳେ ଅନେକ ନୂତନ କାର୍ଯ୍ୟାଳୟ କୋଠା ନିର୍ମାଣର ଆବଶ୍ୟକତା ରହିଛି । ବାନ୍ଧକଳାକୁ ନେଇ ମନମୁଣ୍ଡାର ବେଶ ପ୍ରସିଦ୍ଧି ରହିଥିବା ବେଳେ ବାରମ୍ବାର ମନମୁଣ୍ଡା ଅଞ୍ଚଳର ବିଭିନ୍ନ ଦାବିକୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି । ମହାନଦୀ ଓ ତେଲନଦୀ ଅନେକ ସ୍ଥାନରେ ବିପଦ ଶଙ୍କୁଳ ଭାବରେ କୂଳ ଲଙ୍ଘୁଛି । ଫଳରେ ଏହାର ତଟ ସୁରକ୍ଷା ଏବେ ଜରୁରୀ ହୋଇ ପଡିଛି । ମନମୁଣ୍ଡା ଅଞ୍ଚଳର ବିକାଶକୁ ନେଇ ବୁଦ୍ଧିଜୀବୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, ବୌଦ୍ଧ