ବୌଦ୍ଧ: ପାରମ୍ପରିକ ରୀତିନୀତି ଅନୁଯାୟୀ ବୌଦ୍ଧରେ ଆରମ୍ଭ ହେଲା ଦଣ୍ଡ ଯାତ୍ରା। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆଡ଼ମ୍ବର ଭାବେ ଚାଲିଛି ଷୋହଳ ସୁଆଙ୍ଗ ଯାତ୍ରା। ସାଂସ୍କୃତିକ ତଥା ପାରମ୍ପରିକ ନୃତ୍ୟରେ ଗାଁଠୁ ସହର ସର୍ବତ୍ର ଉତ୍ସବ ମୁଖର ହୋଇ ଉଠିଛି।
ବୌଦ୍ଧ ଜିଲ୍ଲାରେ ଚାଲିଛି ଲୋକ ସଂସ୍କୃତିର ମହାନ ପର୍ବ ଦଣ୍ଡ ଯାତ୍ରା । ବୌଦ୍ଧ ଜିଲ୍ଲାର ହରଭଙ୍ଗା, କଣ୍ଟାମାଳ ଓ ବୌଦ୍ଧ ବ୍ଲକର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁ ଓ ଦଣ୍ଡ କଳାକାର ମାନେ ଅତ୍ୟନ୍ତ ନିଷ୍ଠା ତଥା ଶ୍ରଦ୍ଧାର ସହିତ ମହାନ ପର୍ବରେ ସାମିଲ ହୋଇଛନ୍ତି । ଅପରାହ୍ନର ଧୂଳି ଦଣ୍ଡରେ ସାମାଜିକ ଚଳଣିର ଚିତ୍ର ଚାଷ କାର୍ଯ୍ୟଠାରୁ ନେଇ ପଖାଳଖିଆ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ବର୍ଣ୍ଣନା କରାଯାଏ। ଯାହା ଅତ୍ୟନ୍ତ ହୃଦୟ ସ୍ପର୍ଶୀ। ଏହାଛଡା ମଧ୍ୟ ରାତିରେ ଦଣ୍ଡ କାଳୀଙ୍କ ପରଭା ନୃତ୍ୟ ପରେ ଷୋଳହ ଖାଡି ବାଦ୍ୟରେ ପରିବେଷିତ ଷୋହଳ ସୁଆଙ୍ଗ ନୃତ୍ୟ ହୋଇଥାଏ। ଯେଉଁଥିରେ ଦିଅର ଭାଉଜ, ଶାଳୀ ଭିଣୋଇ,ବାଇଧନ,ଝାଲିଆ ଶବର,ପତର ଶଉରା ଭଳି ବିଭିନ୍ନ ସାମାଜିକ ତଥା ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ଆମ ପ୍ରାଚୀନ ପରମ୍ପରାକୁ ଉଦଜୀବିତ କରେ ।
ଗାଁ ଦାଣ୍ଡରୁ ନେଇ ସହରର ରାସ୍ତାରେ ବର୍ତ୍ତମାନ ସବୁଆଡେ ଦଣ୍ଡ ଯାତ୍ରାର ନୃତ୍ୟ ବାଦ୍ୟରେ ପ୍ରକମ୍ପିତ । ଦଣ୍ଡ ଯାତ୍ରାର ଉନ୍ମେଷ ଭୂମିରେ ଷୋହଳ ଖାଡି ବାଦ୍ୟରେ ପରିବେଷିତ ଷୋଳହ ସୁଆଙ୍ଗ ନୃତ୍ୟ ବୌଦ୍ଧ ଜିଲ୍ଲାର ପ୍ରାଚୀନ ପରମ୍ପରା ଓ ସାମାଜିକ ଚଳଣୀକୁ ପୁନର୍ଜୀବିତ କରି ରଖିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ