ବୌଦ୍ଧ: 12 କୋଟି ଟଙ୍କା ବ୍ୟୟରେ ନିର୍ମିତ ଜେଲକୁ ବର୍ଷେ ନପୁରୁଣୁ କାନ୍ଥ ଓ ଅନ୍ୟାନ୍ୟ ସ୍ଥାନରେ ଦେଖିବାକୁ ମିଳିଥିଲା ଫାଟ । ତେବେ ଏହି ଖବର ଇଟିଭି ଭାରତରେ ପ୍ରସାରଣ ହେବା ପରେ ତରବରିଆ ଭାବେ ଏହାକୁ ମରାମତି କରି ଦୋଷ ଲୁଚାଇବାକୁ ଚାଲିଛି ପ୍ରୟାସ । ବୌଦ୍ଧ ଜିଲ୍ଲାରେ ଏଭଳି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନା ମୁତାବକ ବୌଦ୍ଧ ଜିଲ୍ଲାର ଏକମାତ୍ର ଜେଲ ସଦର ମହକୁମାର ରାମ ମନ୍ଦିର ନିକଟରେ ଶତାଧିକ ବର୍ଷରୁ ପ୍ରତିଷ୍ଠା ହୋଇଥିଲା । ତେବେ ସ୍ଥାନାଭାବ ଓ ଅନ୍ୟାନ୍ୟ ସମସ୍ୟା ଯୋଗୁଁ ବୌଦ୍ଧ ଠାରୁ ପ୍ରାୟ ୧୦ କିଲୋମିଟର ଦୂର ଲାଣ୍ଡିବନ୍ଧ ନିକଟରେ ବାର କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ନୂତନ ଜେଲ ନିର୍ମାଣ କରାଯାଇଥିଲା । ଗତ ବର୍ଷ ପୁରୁଣା ଜେଲରୁ ନୂତନ ଜେଲକୁ ସ୍ଥାନାନ୍ତର କରାଯାଇଥିଲା ।
ତେବେ ନିମ୍ନମାନର କାମ ଯୋଗୁ ନୂତନ ଜେଲ କାର୍ଯ୍ୟକ୍ଷମ ହେବାର ବର୍ଷେ ନପୁରୁଣୁ ଜେଲ ପାଚେରୀ ଓ ଅନ୍ୟ ସ୍ଥାନ ଫାଟି ଆଁ କରିଥିବା ଦେଖିବାକୁ ମିଳିଥିଲା । ଏନେଇ ଈଟିଭି ଭାରତରେ ଖବର ପ୍ରସାରିତ ପରେ ଏହି ଫାଟ ତରବରିଆ ଭାବେ ଅଳ୍ପ ଟଙ୍କାରେ ମରାମତି କରାଯାଇ ଲିପାପୋଛା କରି ଦିଆଯାଇଛି । ଏହି କାର୍ଯ୍ୟରେ କୌଣସି ଅସୁବିଧା ହୋଇନଥିବା ଦର୍ଶାଇବାକୁ କର୍ତ୍ତୃପକ୍ଷ ପୁରା ଦମରେ ଚେଷ୍ଟା କରିଥିଲେ । ତେବେ ନିମ୍ନ ମାନର କାମ ଯୋଗୁଁ ଏଭଳି ତାଳିପକା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଏନେଇ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ