ବୌଦ୍ଧ: କୋରୋନା ଯୋଦ୍ଧାଙ୍କ ମହାନତା । ରକ୍ତଦାନ କରି ବଞ୍ଚାଇଲେ ପ୍ରସୂତି ମହିଳାଙ୍କ ଜୀବନ । ବୌଦ୍ଧ ହରଭଙ୍ଗା ଗ୍ରାମର ସନ୍ତୋଷ ନାୟକଙ୍କ ପତ୍ନୀଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ପତ୍ନୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ରକ୍ତର ଆବଶ୍ୟକତା ଥିଲା । ଏପରିସ୍ଥଳେ ଜଣେ କୋରୋନା ଯୋଦ୍ଧା ପୋଲିସ ଅଧିକାରୀ ରକ୍ତଦାନ କରି ଜୀବନ ବଞ୍ଚାଇଥିଲେ ।
ସୂଚନା ଯେ, ସଟଡାଉନ ଯୋଗୁଁ ସନ୍ତୋଷ ଆବଶ୍ୟକସ୍ଥଳେ କେଉଁ ରକ୍ତଦାତାଙ୍କୁ କିଭଳି ଯୋଗାଯୋଗ କରିବେ ବୁଝି ପାରିଲେ ନାହିଁ । ସେପଟେ ଏହି ସମୟରେ ରକ୍ତ ଭଣ୍ଡାରରେ ମଧ୍ୟ ରକ୍ତର ଅଭାବ ରହିଛି । ରକ୍ତ ପାଇଁ ଅନେକଙ୍କୁ ନେହୁରା ହେଉଥିବା ବେଳେ ଜିଲ୍ଲା ପୋଲିସର ଜଣେ କୋରୋନା ଯୋଦ୍ଧା ଶେଷଦେବ ପୁଟ୍ଟା ଡ୍ୟୁଟିରୁ ଫେରୁଥିବା ସମୟରେ ତାଙ୍କୁ ମଧ୍ୟ ରକ୍ତ ପାଇଁ ସନ୍ତୋଷ ଅନୁରୋଧ କରିଥିଲେ ।
ତତକ୍ଷଣାତ ପୋଲିସ ଜଣକ ଖାଇବାକୁ ନଯାଇ ପୋଲିସ ପୋଷାକରେ ହିଁ ରକ୍ତଦାନ କରିବାକୁ ଆଗେଇ ଆସିଲେ । କୋରୋନା ଯୋଦ୍ଧା ଶେଷଦେବଙ୍କ ଏହି ମହତ କାର୍ଯ୍ୟ ଯୋଗୁଁ ସନ୍ତୋଷଙ୍କ ପରିବାର ସହ ବୌଦ୍ଧ ଏସପି ମଧ୍ୟ ତାଙ୍କ ପ୍ରଶଂସା କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ