ବୌଦ୍ଧ : ଜିଲ୍ଲାରେ ଦୁଇ ଦିନ ସଂକ୍ରମିତଙ୍କ ସଂଖ୍ୟା ଦୁଇ ଅଙ୍କରେ ରହିଥିବା ବେଳେ ଆଜି ପୁଣି ଥରେ ତିନି ଅଙ୍କ ହୋଇଛି । ସେପଟେ ସଂକ୍ରମିତଙ୍କ ଭ୍ରମାତ୍ମକ ସଂଖ୍ୟାକୁ ନେଇ ଏକ ତଥ୍ୟ ସମ୍ମୁଖକୁ ଆସିଛି ।
ଜିଲ୍ଲାରେ ଉପର ତଳ ହେବାରେ ଲାଗିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ଦୁଇ ଦିନ ହେଲା ବୌଦ୍ଧ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଦୁଇ ଅଙ୍କ ବିଶିଷ୍ଟ ରହୁଥିବା ବେଳେ ଆଜି ପୁଣିଥରେ ତିନି ଅଙ୍କ ବିଶିଷ୍ଟ ହୋଇ 130 ରେ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ।
ତେବେ ଗତ ଦୁଇ ଦିନ ହେଲା କିନ୍ତୁ କୋରୋନା ଜନିତ କୌଣସି ମୃତ୍ୟୁ ସୂଚନା ମିଳିନଥିବା ବେଳେ ସରକାରୀ ଭାବରେ ସମୁଦାୟ ମୃତ୍ୟୁ ସଂଖ୍ୟା 63 ବୋଲି ଦର୍ଶାଯାଇଛି । ସେପଟେ ଏଭଳି ସମୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଭ୍ରମାତ୍ମକ ଥିବାନେଇ ଏକ ତଥ୍ୟ ସମ୍ମୁଖକୁ ଆସିଛି ।
ବୌଦ୍ଧ ଜିଲ୍ଲାର ଉପାନ୍ତ ତଳଗାଁ ପଞ୍ଚାୟତ ଗୁଣ୍ଡୁରୀସାହିର ସମୁଦାୟ ଜନସଂଖ୍ୟା ଠାରୁ ଅଧିକ କୋଭିଡ ଆକ୍ରାନ୍ତ ଥିବା ଘତ 3 ଦିନ ପୂର୍ବର ରିପୋର୍ଟରେ ଦର୍ଶାଯାଇଥିଲା । ଏହି ରିପୋର୍ଟକୁ ଭିତ୍ତି କରି ଜିଲ୍ଲା ରେଡକ୍ରସ ସୋସାଇଟିର ଏକ ଟିମ ଗୁଣ୍ଡୁରୀସାହିରେ ସହାୟତା ତଥା ସଚେତନତା ପାଇଁ ପହଞ୍ଚିବା ବେଳକୁ ସେଠାରେ ଦର୍ଶାଯାଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ମୁତାବକ ଜନସଂଖ୍ୟା ନଥିବା ଜଣାପଡିଥିବା ରେଡକ୍ରସର ଜିଲ୍ଲା ସଂଯୋଜକ ସୂଚନା ଦେବାସହ ଏହା ସମ୍ପୂର୍ଣ୍ଣ ଭ୍ରମାତ୍ମକ ବୋଲି କହିଛନ୍ତି ।
ଗ୍ରାମର ଜନସଂଖ୍ୟା ଠାରୁ କୋରୋନା ପଜିଟିଭ ଅଧିକ କିଭଳି ହେଲା, ନା ଅନ୍ୟ କିଛି କାରଣ ଅଛି ତାର ସୂଚନା ସଂଗ୍ରହ ସମୟରେ ବୌଦ୍ଧ ଉପଜିଲ୍ଲାପାଳ ଅନ୍ୟ କିଛି ଅଞ୍ଚଳର ନାମ ଉକ୍ତ ଗାଁ ତାଲିକାରେ ରହିଥାଇପାରେ ବୋଲି ସୂଚନା ଦେଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ