ବୌଦ୍ଧ: ବନ୍ଦୀ ଅବସ୍ଥାରେ ଚବିଶ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ବିତାଇଲେଣି ତିନି ଅସହାୟ ପରିବାର। ଘରୁ କିପରି ବାହାରିବେ ତାହକୁ ନେଇ ଏବେ ଚିନ୍ତାରେ । ସେପଟେ ରାସ୍ତା ପାଇଁ ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଥିଲେ ମଧ୍ୟ ନିରବଦ୍ରଷ୍ଟା ପାଲଟିଛି ପ୍ରଶାସନ ।
ବୌଦ୍ଧ ପୌରପରିଷଦ ଅନ୍ତର୍ଗତ 6 ନମ୍ବର ଓ୍ବାର୍ଡ ବାବୁସାହିରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଏକ ଆବଦ୍ଧ ଅଞ୍ଚଳରେ ଦୀର୍ଘ ଚବିଶ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ହେଲା ବନ୍ଦୀ ହୋଇ ରହିଛନ୍ତି ତିନୋଟି ପରିବାରର ତେର ସଦସ୍ୟ । ସେମାନଙ୍କ ମଧ୍ୟରୁ ଜଣେ ମହିଳା ରୋଗୀ ଥିବାବେଳେ ତିନି ଜଣ ସ୍କୁଲ ଯାଉଥିବା ଛାତ୍ରଛାତ୍ରୀ ରହିଛନ୍ତି ।
ସୂଚନା ମୁତାବକ, ବାବୁସାହି ନିକଟରେ ନିର୍ମାଣ ହୋଇଥିବା ସଂସ୍କୃତି ଭବନ ପାର୍ଶ୍ଵ ପ୍ଲଟ ଗୁଡିକ ଦୀର୍ଘ ବର୍ଷ ହେଲା ନାଳ ଓ ରାସ୍ତା ନିମନ୍ତେ ଦାବି କରି ଆସୁଥିଲେ ମଧ୍ୟ ପୌରପରିଷଦ ଓ ପ୍ରଶାସନ ସେଥିରେ ବିଫଳ ହୋଇଥିଲା । ଦୁଇ ଦିନ ପୂର୍ବରୁ ଜଣେ ନିଜ ପଟ୍ଟା ଜାଗାରେ ନିଜ ପାଚେରୀ ନିର୍ମାଣ ଯୋଗୁଁ ଉକ୍ତ ତିନି ପରିବାର ସବୁଆଡୁ ଘେରିହୋଇ ରହିଯାଇଛନ୍ତି ।
ଏଠାରେ ସୂଚନା ଥାଉକି, ପ୍ରଶାସନ ପକ୍ଷରୁ ଏହି ବିଭାଗ ନିର୍ମାଣ ସମୟରେ ଏହା କଡରେ ଏକ ରାସ୍ତା ଓ ନାଳ ନିର୍ମାଣ ପାଇଁ ମୌଖିକ ପ୍ରତିଶୃତି ଦେଇଥିଲେ । କିନ୍ତୁ ପ୍ରଶାସନ କେବଳ ଛ ଫୁଟ ଯାଗା ଛାଡିଦେଇ ଚୁପ ବସିଥିଲା । ଫଳରେ ଉକ୍ତ ଛଫୁଟ ଜାଗା ମଧ୍ୟ ଜବରଦଖଲକାରୀଙ୍କ କବ୍ଜାକୁ ଚାଲିଯାଇଛି । ଏବେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଥିବା ଏହି ତିନି ପରିବାର ରାସ୍ତା ଖଣ୍ଡେ ପାଇଁ ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଛନ୍ତି । ଏସମ୍ପର୍କରେ ଜିଲ୍ଲା ପ୍ରଶାସନ ତର୍ଜମା ଆରମ୍ଭ କରିଥିବା ସୂଚନା ମିଳିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ