ବୌଦ୍ଧ: ପ୍ରଶାସନିକ ସଂସ୍କାର କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଅବସରଗ୍ରହଣ କରିଛନ୍ତି । ସରକାରଙ୍କ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ପାଇଁ ଚେଷ୍ଟିତ ଜିଲ୍ଲାପାଳ ନିଜ କଠୋର ଆଭିମୁଖ୍ୟ ପାଇଁ ବେଶ ଚର୍ଚ୍ଚିତ ରହିଥିଲେ । ଅବସର ଗ୍ରହଣର ଶେଷ ଦିନ ପର୍ଯ୍ୟନ୍ତ ସେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିବା ବେଳେ ତାଙ୍କ ଅବସର ଗ୍ରହଣରେ ଉତ୍ତମ କାର୍ଯ୍ୟ କରିଥିବା କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରି ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି ।
ପ୍ରଶାସନିକ କ୍ଷେତ୍ରରେ ଚାପମୁକ୍ତ ହୋଇ ନିଜର କଠୋର ଆଭିମୁଖ୍ୟ ପାଇଁ ସେ ବେଶ ଚର୍ଚ୍ଚିତ ଥିବା ବେଳେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ଉପରେ ସେ ବିଶେଷ ଗୁରୁତ୍ୱ ପ୍ରଦାନ କରିଥିଲେ । ଜିଲ୍ଲାର ତିନୋଟି ବ୍ଲକ ଅନ୍ତର୍ଗତ 69 ପଞ୍ଚାୟତରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟଜଳ, ସାମାଜିକ ସୁରକ୍ଷା, ଲୋକଙ୍କ ଜୀବନ ଜୀବିକା, ମହିଳା ସଶକ୍ତିକରଣ, ଆର୍ଥିକ ଅଭିବୃଦ୍ଧି ଉପରେ ଜିଲ୍ଲାପାଳ ଭାବରେ ଅନେକ ପଦକ୍ଷେପ ଗ୍ରହଣ କରିଥିଲେ । ଅବସର ଗ୍ରହଣର ଶେଷ କାର୍ଯ୍ୟ ଦିବସ ପର୍ଯ୍ୟନ୍ତ ସେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିଲେ ।
ଶେଷ ଦିନରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଖଳିସାହିର ଚର୍ଚ୍ଚିତ ଲୋମଶ କନ୍ୟା ରେବତୀ ନିକଟରେ ପ୍ରଶାସନ ପହଞ୍ଚି ତାକୁ ସହାୟତା ଯୋଗାଇବା ସହିତ ଉକ୍ତ ଅସହାୟ ରେବତୀ ନିମନ୍ତେ ଏକ ପକ୍କାଘର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଇଥିଲେ । ଏହାଛଡା ସେ ଉଦ୍ୟମ କ୍ରମେ ଓଡିଶାରେ ପ୍ରଥମଥର ପାଇଁ ମହାନଦୀର ଚିରଘାଟ ଠାରେ ଦିବ୍ୟ ଆଳତୀର ଆୟୋଜନ ସହିତ ଆଳତୀ ଘାଟର ପରିକଳ୍ପନା କରିଥିଲେ । ଯାହା ବର୍ତ୍ତମାନ ବାସ୍ତବତା ଆଡକୁ ଅଗ୍ରଗତି ହେବାରେ ଲାଗିଛି । ଜିଲ୍ଲାପାଳଙ୍କ ଅବସରଗ୍ରହଣ ସମୟରେ ଥିବା ପରମ୍ପରାକୁ ଭଙ୍ଗ କରି ସେ ନୂତନ ପରମ୍ପରା ସୃଷ୍ଟି କରିଥିଲେ ।
ପୂର୍ବରୁ କର୍ମଚାରୀ ଓ ବିଭିନ୍ନ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଉଥିବା ବେଳେ ସତ୍ୟ ରଞ୍ଜନ ସାହୁ କାର୍ଯ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତି ବିଶେଷ, ସରକାରୀ କର୍ମଚାରୀ ଓ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏପରିକି ଜିଲ୍ଲାପାଳ କେତେକ ଡ୍ରାଇଭର, ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ପ୍ରଥମଥର ପାଇଁ ସମ୍ବର୍ଦ୍ଧିତ କରାଯାଇ ଏକ ଉଦାହରଣ ସୃଷ୍ଟି କରିଥିଲେ । ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କ କାର୍ଯ୍ୟ ଦିବସର ଶେଷ ଦିନରେ ବୌଦ୍ଧ ଜିଲ୍ଲା ପାଇଁ ଚିନ୍ତା ସୃଷ୍ଟି କରିଥିବା କିଡନୀ ରୋଗୀଙ୍କ ପାଇଁ ନୂତନ ପରିବର୍ଦ୍ଧିତ ସଞ୍ଜିବନୀ ଡାଏଲିସିସ ସେଣ୍ଟରର ଉଦଘାଟନ କରାଯାଇଥିଲା ।
ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ରୂପେ ଉକ୍ତ ଡାଏଲିସିସ ସେଣ୍ଟରର ଉଦଘାଟନ କରିଥିବା ବେଳେ ପରବର୍ତ୍ତୀ ସମୟରେ ଏହାକୁ କିଡନୀ ହସପିଟାଲରେ ପରିବର୍ତ୍ତନ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି । ଜିଲ୍ଲାରେ ବର୍ତ୍ତମାନ ଦୁଇ ହଜାରରୁ ଊର୍ଦ୍ଧ୍ବ କିଡନୀ ରୋଗୀ ରହିଥିବା ବେଳେ ଏହି ଡାଏଲିସିସ ସେଣ୍ଟର ଦ୍ବାରା ଅନେକ ରୋଗୀ ଉପକୃତ ହୋଇ ପାରିବେ ବୋଲି ସୂଚନା ମିଳିଛି ।
ଇଟିଭି ଭାରତ, ବୌଦ୍ଧ