ବୌଦ୍ଧ: ଏକଦା ଶିଶୁ ସୁରକ୍ଷା, ବାଲ୍ୟବିବାହ ଓ ଶିଶୁ ଶ୍ରମିକକୁ ନେଇ ସବୁବେଳେ ଚର୍ଚ୍ଚା ରହୁଥିଲା ବୌଦ୍ଧ ଜିଲ୍ଲା । ହେଲେ ଧୀରେ ଧୀରେ ଏବେ ବୌଦ୍ଧର ଚିତ୍ର ବଦଳିବାରେ ଲାଗିଛି । ଜିଲ୍ଲା ପ୍ରଶାସନ, ପୋଲିସ, ଶିଶୁ ସୁରକ୍ଷା ବିଭାଗ ଓ ଚାଇଲ୍ଡଲାଇନର ମିଳିତ ଉଦ୍ୟମରେ ଅନେକାଂଶରେ ଏହିସବୁ ଅପରାଧକୁ ରୋକାଯାଇ ପାରିଛି । ଯେଉଁଥିପାଇଁ ସାରା ରାଜ୍ୟରେ ସମ୍ମାନିତ ହୋଇଛି ବୌଦ୍ଧ ପ୍ରଶାସନ । ତେବେ ଏହିସବୁ ସଫଳତା ପଛରେ ବୌଦ୍ଧ ପୋଲିସର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ତେଣୁ ସେମାନଙ୍କୁ ସମ୍ମାନ ଜଣାଇବାକୁ ଯାଇ ଚାଇଲ୍ଡଲାଇନ ପକ୍ଷରୁ ଚାଇଲ୍ଡଲାଇନ ସେ ଦୋସ୍ତି ନାମକ ଏ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି ଏବଂ ଏଥିରେ ପୋଲିସ କର୍ମୀଙ୍କୁ ଦୋସ୍ତିର ଡୋରି ବାନ୍ଧିଛି ବିଭାଗ ।
ବର୍ତ୍ତମାନ ବୌଦ୍ଧ ଜିଲ୍ଲାର ଶତାଧିକ ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଘୋଷଣା କରାଯାଇଛି । ଶିଶୁ ସୁରକ୍ଷାକୁ ଅଗ୍ରାଧିକାର ମିଳିଛି । ତଥାପି କେତେକ ସ୍ଥାନରେ ଆଜି ମଧ୍ୟ ଏଭଳି କୁତ୍ସିତ ଘଟଣାବଳୀ ଦେଖିବାକୁ ମିଳୁଛି।
ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ବିଭିନ୍ନ ସ୍ଥାନରେ ସଚେତନତାମୂଳକ କାର୍ଯ୍ୟକ୍ରମର ଆୟୋଜନ କରିଆସୁଛି ଚାଇଲ୍ଡଲାଇନ । ଏଥିସହ ପୋଲିସଙ୍କୁ ସମ୍ମାନ ଜଣାଇବାକୁ ଯାଇ ଦୋସ୍ତିର ଡୋରି ବନ୍ଧନ କରିଛି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ