ବୌଦ୍ଧ: ହରଭଙ୍ଗା ବ୍ଲକ ସଦର ମହକୁମାର ଅଙ୍ଗନବାଡି କେନ୍ଦ୍ରରେ 12 ଦିନ ହେବ ହେଲାଣି ଝୁଲୁଛି ତାଲା । ଚାରିଛକର ଏହି କେନ୍ଦ୍ରରେ ସହାୟିକା ନିଯୁକ୍ତି ଓ ଦିଦିଙ୍କ ମନୋମୁଖୀ କାର୍ଯ୍ୟକୁ ବିରୋଧ କରି ସ୍ଥାନୀୟ ମହିଳା ଅଭିଭାବକ ମାନେ ତାଲା ପକାଇଥିବା କହିଛନ୍ତି ।
ସୂଚନାମୁତାବକ, ଚାରିଛକ ଅଙ୍ଗନବାଡି କେନ୍ଦ୍ରରେ ଖାଲି ପଡିଥିବା ସହାୟିକା ପଦବୀ ନିମନ୍ତେ 10 ଜଣ ଆଶାୟୀ ପ୍ରାର୍ଥୀ ରହିଥିଲେ । କିନ୍ତୁ ହରଭଙ୍ଗା ସିଡିପିଓ ନିର୍ଦ୍ଦିଷ୍ଟ ଜଣେ ପ୍ରାର୍ଥୀଙ୍କୁ ଚୟନ କରିବାରୁ ଏହି ବିବାଦର ସୂତ୍ରପାତ ହୋଇଥିଲା । ସ୍ଥାନୀୟ ଅଭିଭାବକ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏଥିରେ ଦୁର୍ନୀତିର ଗନ୍ଧ ବାରିବା ସହ ଏ ସମ୍ପର୍କରେ ଉଚ୍ଚ ଅଧିକାରୀଙ୍କୁ ଜଣାଇ ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇଥିଲେ । ଏହାସହ ଉପଯୁକ୍ତ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବାକୁ ଜିଦରେ ଅଡି ବସିଛନ୍ତି ।
ଘଟଣାରେ ସ୍ଥାନୀୟ ଲୋକେ ସିଡିପିଓ ଓ ଅଙ୍ଗନବାଡି ଦିଦିଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ଅନ୍ୟପଟେ ଦୀର୍ଘ 12 ଦିନ ହେଲା ଛୋଟ ପିଲା ଓ ଗର୍ଭବତୀଙ୍କୁ ସୁଷମ ଖାଦ୍ୟ ଦିଆଯାଇ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଯଦି ବ୍ଲକ ସଦର ମହକୁମାରେ ଅଙ୍ଗନବାଡିର ଏଭଳି ଅବସ୍ଥା ତେବେ ହରଭଙ୍ଗାର ଉପାନ୍ତ ଗାଁର କେନ୍ଦ୍ର ଗୁଡିକ କିଭଳି ଚାଲିଥିବ ତାହା ଉପରେ ସହଜରେ ଅନୁମେୟ କରିହେଉଛି । ଏହି ଅଚଳାବସ୍ଥା ଅଳ୍ପ ଦିନରେ ଦୂର ହେବ ବୋଲି ଉପଜିଲ୍ଲାପାଳ ଏନସି ଜ୍ୟୋତି ରଞ୍ଜନ ନାଏକ ସୂଚନା ଦେଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ