ବୌଦ୍ଧ: ଜିଲ୍ଲା କଚେରୀ କୋଠାର ସ୍ବନକ୍ଷେତ୍ର ଦିବସରେ ଉଦ୍ଦଘାଟିତ ହେବ ଜିଲ୍ଲା ସଂଗ୍ରହାଳୟ । ଶହେ ବର୍ଷର ପୁରୁଣା କଚେରୀ କୋଠାକୁ ବୌଦ୍ଧ ଜିଲ୍ଲା ପ୍ରଶାସନ ହେରିଟେଜ ବିଲ୍ଡିଂର ମାନ୍ୟତା ପ୍ରଦାନ ସହ ଏହାକୁ ପଶ୍ଚିମ ଓଡିଶାର ପ୍ରଥମ ସଂଗ୍ରହାଳୟରେ ପରିଣତ କରିବାକୁ ଚେଷ୍ଟା ଆରମ୍ଭ କରିଛି । ସୋମବାର ସ୍ଥାନୀୟ ସର୍କିଟ ହାଉସ ଠାରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାନତଙ୍କ ଉପସ୍ଥିତିରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ବୁଦ୍ଧିଜୀବୀ ଓ ବୌଦ୍ଧର ସଂସ୍କୃତିପ୍ରେମୀଙ୍କୁ ନେଇ ଏକ ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି ।
ବୌଦ୍ଧ ଜିଲ୍ଲାର କଚେରୀ କୋଠା 1921 ମସିହାରେ ଗଡଜାତ ଶାସନ କାଳରେ ନିର୍ମାଣ ହୋଇ ସ୍ବାଧୀନତା ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ 1994 ରେ ସ୍ବତନ୍ତ୍ର ବୌଦ୍ଧ ଜିଲ୍ଲା ଗଠନ ପରେ ଏହା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତଥା ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ସହିତ ନ୍ୟାୟ ବିଭାଗ ଭାବେ କାର୍ଯ୍ୟକାରୀ ହୋଇଥିଲା ।
ଚଳିତ ବର୍ଷ ଏହି କୋଠାକୁ ଶହେ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ପ୍ରଶାସନ ଜିଲ୍ଲା ସଂଗ୍ରହାଳୟରେ ପରିଣତ କରିବ । ଆସନ୍ତା ଜାନୁୟାରୀ 2 ତାରିଖ ଜିଲ୍ଲା ସ୍ବନକ୍ଷତ୍ର ଦିବସରେ ଏହାକୁ ବିଧିବଦ୍ଧ ଉଦ୍ଦଘାଟନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଯାହାକୁ ବୌଦ୍ଧର ବୁଦ୍ଧିଜୀବୀମାନେ ସ୍ବାଗତ କରିଛନ୍ତି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ