ବୌଦ୍ଧ: ଗରିବଙ୍କ ଲାଗି ସରକାରଙ୍କ କାହିଁ କେତେ ଯୋଜନା । ବାସଗୃହ ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟସେବା ଯାଏଁ ନାନା ଯୋଜନା କାର୍ଯ୍ୟ କରୁଛି ରାଜ୍ୟରେ । ହେଲେ ବିଡମ୍ବନାର ବିଷୟ, ଏହି ସରକାରୀ ସହାୟତାରୁ ବଞ୍ଚିତ ହୋଇ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ମାନସିକ ଭିନ୍ନକ୍ଷମ । ସେଭଳି କିଛି ଘଟଣା ସାମ୍ନାକୁ ଆସିଛି ବୌଦ୍ଧ ଜିଲ୍ଲା ବାମଣ୍ଡ ଅଞ୍ଚଳରୁ । ଏଠାରେ ଥିବା ଏକ ଘଞ୍ଚ ଜଙ୍ଗଲ ଭିତରେ ଦୀର୍ଘ ୧୦ ବର୍ଷ ହେଲାଣି ଜୀବନ ବିତାଉଛନ୍ତି ଦୁଇ ମାନସିକ ଭିନ୍ନକ୍ଷମ ଭାଇଭଉଣୀ । ଘରଟିଏ କହିଲେ ଚାରୋଟି କାଠ ଉପରେ ଛିଣ୍ଡା ଜରିପାଲରେ ଘୋଡାଇ ହୋଇଥିବା ଝୁମ୍ପୁଡିଟିଏ । ପଞ୍ଚାୟତରୁ ମିଳୁଥିବା କେଇ ମୁଠା ଚାଉଳ ହିଁ ଦୁହିଁଙ୍କ ବଞ୍ଚିବାର ମାଧ୍ୟମ । ଜରିପାଲ ତଳେ ଜୀବନ ବିତାଉଥିବା ଏହି ଭୂମିହୀନ ଭିନ୍ନକ୍ଷମଙ୍କ ସମ୍ପର୍କରେ ସୂଚନା ମିଳିବା ପରେ ଇଟିଭି ଭାରତ ଟିମ୍ ସେମାନଙ୍କ ସମ୍ପର୍କରେ ଅଧିକ ଜାଣିବାକୁ ଚେଷ୍ଟା କରିଥିଲା ।
ହରଭଙ୍ଗା ବ୍ଲକ ବାମଣ୍ଡା ପଞ୍ଚାୟତ ଅନ୍ତର୍ଗତ ବିଶ୍ବନାଥପୁର ଗ୍ରାମ । ଗାଁଠାରୁ ଟିକିଏ ଦୂରରେ ରହିଛି ଏକ ନିକାଞ୍ଚନ ଜଙ୍ଗଲିଆ ସ୍ଥାନ । ଏହି ବଣରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହୁଛନ୍ତି ଦୁଇ ବଣମଣିଷ ସିଦ୍ଧେଶ୍ବର ଓ କଇତା । ଜମିଭୂମି ହୀନ ଏହି ଦୁଇ ଭାଇଭଉଣୀ ଦୀର୍ଘ ଦଶ ବର୍ଷରୁ ଅଧିକ ସମୟ ହେଲା ଏଭଳି ବଣ ମଣିଷଙ୍କ ଭଳି ବଞ୍ଚୁଥିଲେ ମଧ୍ୟ ଏମାନଙ୍କ ଉପରେ କାହାର ନଜର ପଡିପାରି ନାହିଁ । ପଞ୍ଚାୟତରୁ କେବଳ ପାଞ୍ଚ କେଜି ଚାଉଳ ଭାଇଭଉଣୀଙ୍କ ବଞ୍ଚିବାର ଏକମାତ୍ର ମାଧ୍ୟମ । ଏମାନଙ୍କ ନିକଟରେ ସ୍ବାସ୍ଥ୍ୟସେବା ଠାରୁ ନେଇ କୌଣସି ସରକାରୀ ଯୋଜନା ପହଞ୍ଚି ପାରିନାହିଁ । ଏହାକୁ ନେଇ ଗ୍ରାମବାସୀ ଗଭୀର ଉଦବେଗ ପ୍ରକାଶ କରିବା ସହିତ ତୁରନ୍ତ ଜିଲ୍ଲା ପ୍ରଶାସନ ସରକାରୀ ସହାୟତା ଯୋଗାଇ ଦେବାକୁ ଇଟିଭି ଭାରତ ମାଧ୍ୟମରେ ଗୁହାରି କରିଛନ୍ତି ।
ଇଟିଭି ଭାରତ, ବୌଦ୍ଧ