ବୌଦ୍ଧ: ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ବୌଦ୍ଧ କଂଗ୍ରେସର ବନ୍ଦ ଡାକରା । ଆସନ୍ତା 6 ତାରିଖରେ ବନ୍ଦ ଡାକରା ଦେଇଛି ଦଳ । ଆରଡିସି ପରିବର୍ତ୍ତନ ସହ ଏନଏସି, ପଞ୍ଚାୟତ, ସବଡିଭିଜନ ତଥା ଥାନା ସଂଖ୍ୟା ବୃଦ୍ଧି ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ କଂଗ୍ରେସ ପକ୍ଷରୁ ଏହି ଡାକରା ଦିଆଯାଇଛି ।
ତିନୋଟି ବ୍ଲକକୁ ନେଇ ଗଠିତ ବୌଦ୍ଧ ଜିଲ୍ଲା କେବଳ ଗୋଟିଏ ସବଡିଭିଜନ ଓ ଗୋଟିଏ ପୌରାଞ୍ଚଳ ମଧ୍ୟରେ ସୀମିତ । ଏହାଛଡା ଦୀର୍ଘ ବର୍ଷ ହେଲା ଜିଲ୍ଲାକୁ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅଧିନରୁ ଆଣି ସମ୍ବଲପୁର ରାଜସ୍ବ ଆୟୁକ୍ତରେ ସାମିଲ ପାଇଁ ଦାବି ହୋଇଆସୁଥିଲେ ମଧ୍ୟ ଏନେଇ କୌଣସି ଅଗ୍ରଗତି ଘଟିପାରି ନାହିଁ । ତେଣୁ ରବିବାର ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଆସନ୍ତା 6 ତାରିଖରେ ଜିଲ୍ଲା ବନ୍ଦ ପାଇଁ ଡାକରା ଦିଆଯାଇଛି ।
ଏହାବ୍ୟତୀତ ଜିଲ୍ଲାର ସମୁଦାୟ 69 ପଞ୍ଚାୟତକୁ 121କୁ ବୃଦ୍ଧି, କଣ୍ଟାମାଳକୁ ପୌରାଞ୍ଚଳ ତଥା ସବଡିଭିଜନର ମାନ୍ୟତା ଓ ବଘିଆପଡା, ଘଣ୍ଟାପଡା, ଶଗଡା, ଆଢେଣୀଗଡ ଫାଣ୍ଡିକୁ ଥାନାରେ ପରିଣତ ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ସେହିପରି ଜିଲ୍ଲାରେ ବର୍ଷା ଅଭାବରୁ ୮୦ ପ୍ରତିଶତ ଚାଷ ଉଜୁଡି ଯାଇଛି । ତେଣୁ ବୌଦ୍ଧକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରିବାକୁ ଦାବି କରିଛି ଦଳ । ରବିବାର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ବୌଦ୍ଧ ଜିଲ୍ଲା ପ୍ରଭାରୀ ଡ଼ ହମୀଦ ହୁସେନ ଯୋଗ ଦେଇ ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଥିଲେ ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ