ବୌଦ୍ଧ: ଶିଶୁ ସୁରକ୍ଷା ଦିଗରେ ଜିଲ୍ଲା ପ୍ରଶାସନର ଆଉ ଏକ ସଫଳତା । ଶିଶୁଙ୍କ ସୁରକ୍ଷା କ୍ଷେତ୍ରରେ ରାଜ୍ୟ ସ୍ତରରେ ପୁରସ୍କୃତ ହେବାକୁ ଯାଉଛି ବୌଦ୍ଧ ଜିଲ୍ଲା । ସୂଚନାମୁତାବକ, ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳରେ ଏକ ଶିଶୁକୁ ପଚାଶ ହଜାର ଟଙ୍କାରେ ବିକ୍ରି କରି ଦିଆଯାଇଥିବା ଚାଇଲ୍ଡ ଲାଇନରେ ଅଭିଯୋଗ ହୋଇଥିଲା । ଚାଇଲ୍ଡ ଲାଇନର ସଦସ୍ୟ ମନମୁଣ୍ଡା ପୋଲିସର ସହାୟତାରେ ଶିଶୁଟିକୁ ଉଦ୍ଧାର କରି ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କରିଥିଲେ । ସମିତି ତ୍ବରିତ ପଦକ୍ଷେପ ଗ୍ରହଣ କରି ଉକ୍ତ ଶିଶୁକୁ ତାର ପ୍ରକୃତ ପିତାମାତାଙ୍କୁ ତଦନ୍ତ ପରେ ହସ୍ତାନ୍ତର କରିଥିଲେ ।
ଏପଟେ ବୌଦ୍ଧ ଜିଲ୍ଲା ପ୍ରଶାସନ, ଶିଶୁଙ୍କ ସୁରକ୍ଷା ପାଇଁ ବିଶେଷ ସମ୍ବେଦନଶୀଳ ଥିବାରୁ କେବଳ କୋରୋନା ସମୟରେ ଅସହାୟ ହୋଇପଡିଥିବା 526 ଜଣ ଶିଶୁଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରିଛନ୍ତି । ଏହାଛଡା ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ବାଲ୍ୟବିବାହ, ଶିଶୁ ଶ୍ରମିକ ଓ ଅବହେଳିତ ଶିଶୁଙ୍କ ସୁରକ୍ଷା ଦିଗରେ ଯଥେଷ୍ଟ ପଦକ୍ଷେପ ନେଇଛି ।
ଜିଲ୍ଲା ପ୍ରଶାସନର ଏଭଳି ଉଲ୍ଲେଖନୀୟ ଅବଦାନ ପାଇଁ ଆସନ୍ତା ନଭେମ୍ବର ଏକ ତାରିଖରେ ଜିଲ୍ଲାକୁ ସମଗ୍ର ରାଜ୍ୟରେ ପ୍ରଥମ ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ