ବୌଦ୍ଧ: ବଣ ଜଙ୍ଗଲ ଘେରା ଅଞ୍ଚଳରେ ବସବାସ କରୁଥିବା ପରିବାରଙ୍କ ଦ୍ଵାରା ସଂଗୃହିତ ଜଙ୍ଗଲ ଜାତ ପଦାର୍ଥ ଓ ହାତ ତିଆରି ସାମଗ୍ରୀକୁ ମିଳିଛି ସ୍ବତନ୍ତ୍ର ପରିଚୟ । ଏଥର ଅନଲାଇନ ମାଧ୍ୟମରେ ଜଙ୍ଗଲ ଜାତ ଦ୍ରବ୍ୟ ବିକ୍ରି କରି ମହିଳା ଗୋଷ୍ଠୀ ଆର୍ଥିକ ସ୍ତରରେ ସ୍ବାବଲମ୍ବୀ ହୋଇ ପାରିବେ । ଆଉ ଏନେଇ ସହାୟତାର ହାତ ବଢ଼ାଇଛି ଓଡିଶା ବନ ଉନ୍ନୟନ ନିଗମ ।
ତେବେ ବଣ ଜଙ୍ଗଲ ଭିତରେ ଶହ ଶହ ବର୍ଷରୁ ବସବାସ କରୁଥିବା ଲୋକଙ୍କ ଜୀବନଜୀବିକାର ମାଧ୍ୟମ ଉକ୍ତ ବଣ ଜଙ୍ଗଲ ହିଁ ହୋଇ ରହିଛି । ଜଙ୍ଗଲ ଜାତ ପଦାର୍ଥ ସଂଗ୍ରହ କରି ପରିବାର ପ୍ରତିପୋଷଣ କରୁଥିବା ଏଭଳି ପରିବାରର ମହିଳାମାନଙ୍କୁ ବର୍ତ୍ତମାନ ରୋଜଗାରର ଏକ ନୂତନ ମାଧ୍ୟମ ଯୋଗାଇ ଦେଇଛି ଜଙ୍ଗଲ ବିଭାଗ । ଜିଲ୍ଲାର ତିନୋଟି ବ୍ଲକର ଏଭଳି ଅନେକ ଗ୍ରାମ ରହିଛି ଯାହା ସମ୍ପୂର୍ଣ୍ଣ ଭାବରେ ବଣ ଜଙ୍ଗଲ ଭିତରେ ରହିଛି । ଆଉ ଏଠାରେ ପିଢ଼ି ପରେ ପିଢ଼ି ବସବାସ କରୁଥିବା ପରିବାର ଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ଜଙ୍ଗଲ ସମ୍ପଦ ଉପରେ ନିର୍ଭରଶୀଳ । ଜଙ୍ଗଲରୁ ଜାଳକାଠ ସଂଗ୍ରହ ଠାରୁ ନେଇ ଝୁଣା,ମହୁ,ଲାଖ, ହରିଡା, ଜାମୁ, କରଞ୍ଜ କାଠି,ଶାଳ କାଠି,ପତ୍ର, ଅଁଳା, ବାହାଡା,କରଡ,ଝାଡୁକାଠି ଭଳି ବିଭିନ୍ନ ସାମଗ୍ରୀ ସ୍ଥାନୀୟ ଅଧିବାସୀ ଙ୍କ ଦ୍ଵାରା ସଂଗୃହିତ ହୋଇଥାଏ ।
ଏହା ମଧ୍ୟ ପଢନ୍ତୁ- ବୌଦ୍ଧରେ ଜମୁଛି ପଲ୍ଲୀଶ୍ରୀ ମେଳା, ଆକର୍ଷିତ କରୁଛି ହାତ ତିଆରି ସାମଗ୍ରୀ
କିନ୍ତୁ ଉପଯୁକ୍ତ ବଜାର ଅଭାବରୁ ଏସବୁ ସାମଗ୍ରୀ ଗୁଡ଼ିକୁ ଅତି ସ୍ବଳ୍ପ ମୂଲ୍ୟରେ ବଣ ମୂଲକର ଅଧିବାସୀମାନେ ବିକ୍ରି କରିବାକୁ ବାଧ୍ୟ ହୋଇଥାନ୍ତି । ହେଲେ ବର୍ତ୍ତମାନ ବୌଦ୍ଧ ବନଖଣ୍ଡ ବିଭାଗ ପକ୍ଷରୁ ଏଭଳି ସାମଗ୍ରୀ ସଂଗୃହିତ ଅଞ୍ଚଳରେ ମହିଳା ଗୋଷ୍ଠୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ସ୍ବତନ୍ତ୍ର ତାଲିମ ପ୍ରଦାନର ବ୍ୟବସ୍ଥା କରାଯାଇଛି । ଏହି ମହିଳା ଗୋଷ୍ଠୀର ସଦସ୍ୟମାନଙ୍କୁ ହାତ ତିଆରି ବିଭିନ୍ନ ସାମଗ୍ରୀ ତଥା ବାଉଁଶ ଓ ବେତରୁ ପ୍ରସ୍ତୁତ ସୁନ୍ଦର ସୁନ୍ଦର ସାମଗ୍ରୀ ନିମନ୍ତେ ସ୍ବତନ୍ତ୍ର ତାଲିମ ପ୍ରଦାନର ବ୍ୟବସ୍ଥା କରାଯାଇଛି । ଏହାଛଡା ଓଡ଼ିଶାର ଏକମାତ୍ର ଜିଲ୍ଲା ଭାବରେ ବୌଦ୍ଧ ବନଖଣ୍ଡ ଅନଲାଇନ ମାଧ୍ୟମରେ ଏସବୁ ସାମଗ୍ରୀ ଗୁଡ଼ିକୁ ବିକ୍ରିର ବ୍ୟବସ୍ଥା କରିଛନ୍ତି । ବନ କାରିଗରୀ ଡଟ୍ କମ ମାଧ୍ୟମରେ ଆମାଜନ ସହ ଯୋଡି ହୋଇ ଏଭଳି ଜଙ୍ଗଲ ଜାତ ପଦାର୍ଥର ଚାହିଦା ବୃଦ୍ଧି ପାଇଁ ଉଦ୍ୟମ କରାଯାଉଥିବା ସୂଚନା ମିଳିଛି । ତେବେ ଏଭଳି ପଦକ୍ଷେପ ଦ୍ବାରା ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନେ ଆର୍ଥିକ ସ୍ତରରେ ବେଶ ଉପକୃତ ହୋଇପାରିବେ ବୋଲି ମତ ପ୍ରକାଶ ପାଇଛି ।
ଇଟିଭି ଭାରତ, ବୌଦ୍ଧ