ବୌଦ୍ଧ: ଧାନକ୍ରୟ ଆରମ୍ଭରୁ ଘାରିଲାଣି ଭୂତ ଚାଷୀର ଭୟ । ବୌଦ୍ଧ ଜିଲ୍ଲାର 42ଟି ପ୍ୟାକ୍ସ ଓ 18ଟି ଅସ୍ଥାୟୀ ଧାନମଣ୍ଡିରେ ଧାନକ୍ରୟ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଧାନକ୍ରୟ ଆରମ୍ଭରୁ ଚଳିତ ବର୍ଷର ପ୍ରଥମ ଠକ ଭୂତ ଚାଷୀ ଘଟଣା ପ୍ରକାଶ ପାଇଛି । ଏକ ବିବାଦୀୟ ଜମିକୁ ଜଣେ ବ୍ୟକ୍ତି ରେଜିଷ୍ଟ୍ରେସନ କରାଇ ଧାନକ୍ରୟ ପାଇଁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି ।
ଜିଲ୍ଲାର ବଘିଆପଡାର ଜଣେ ବ୍ୟକ୍ତିଙ୍କ ଜମି ଦୀର୍ଘ ଦିନ ହେଲା ପଡିଆ ଥିବାବେଳେ ଏବଂ ଏନେଇ ବିବାଦ ରହିଥିବାବେଳେ ଏହାର ସୁଯୋଗ ନେଇ ଅନ୍ୟ ଜଣେ ଯୁବକ ଜମିର ଧାନକ୍ରୟ ପାଇଁ ରେଜିଷ୍ଟ୍ରେସନ କରାଇଛି । ଏ ସମ୍ପର୍କରେ ସମ୍ପୃକ୍ତ ଜମି ମାଲିକ ଯୋଗାଣ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
ବାଘିଆପଡା ଓ ମୁଣ୍ଡାପଡା ସମବାୟ ସମିତିରୁ ଏଭଳି ଅଭିଯୋଗ ଆସିବା ପରେ ପୁଣିଥରେ ଧାନ କିଣାରେ ଭୂତ ଚାଷୀଙ୍କ ଭୟ ସୃଷ୍ଟି ହୋଇଛି । ତେବେ ବିଧିବଦ୍ଧ ତଦନ୍ତ ପରେ ପଦକ୍ଷେପ ଗ୍ରହଣ କରିବା ନେଇ ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି । ସେପଟେ ଆର ଜମିରେ କରାଯାଇଥିବା ଧାନ ଚାଷକୁ ବିକ୍ରି କରାଯାଇ ପାରୁନଥିବାରୁ ଏହାର ବିକ୍ରି ପାଇଁ ସୁବିଧା ଯୋଗାଇ ଦେବାକୁ ଦାବି ହୋଇଛି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ