ବୌଦ୍ଧ: ଜମିଭୂମି ହୀନ ପ୍ରଜାଙ୍କୁ ସରକାର ଜମି ଯୋଗାଇଛନ୍ତି ସତ । କିନ୍ତୁ ହିତାଧିକାରୀଙ୍କ ନିକଟରେ ଇଞ୍ଚେ ମଧ୍ୟ ଜମି ଡିହ ନାହିଁ । ଏଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ଗୁନ୍ଦୁଳିଆ ଆରଆଇ ସର୍କଲ ସାନ ଗୋଛାପଡା ଗ୍ରାମରେ । ଗ୍ରାମର ପନ୍ଦରରୁ ଊର୍ଦ୍ଧ୍ବ ଜମିଭୂମି ହୀନ ପ୍ରଜାଙ୍କୁ ଗତ ପ୍ରାୟ ଦଶ ବର୍ଷ ତଳେ ସରକାରଙ୍କ ପକ୍ଷରୁ ଚାରି ଡେସିମିଲ ଲେଖାଏଁ ଜମିଡିହ ଯୋଗାଇ ଦିଆଯାଇଥିଲା । କିନ୍ତୁ ବର୍ତ୍ତମାନ ଉକ୍ତ ହିତାଧିକାରୀଙ୍କ ନିକଟରେ ଇଞ୍ଚେ ମଧ୍ୟ ଡିହ ନାହିଁ । କାରଣ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଜମି ବର୍ତ୍ତମାନ କେତେକ ରାଜନୈତିକ ବ୍ୟକ୍ତି ବିଶେଷଙ୍କ କବଜାରେ ଥିବା ଅଭିଯୋଗ ହୋଇଛି ।
ଏଭଳି ଘଟଣା କେବଳ ଗୁନ୍ଦୁଳିଆ ଆରଆଇ ସର୍କଲରେ ନୁହେଁ, ବରଂ ଜିଲ୍ଲାର ବାଉଁଶୁଣୀ, ସରସରା, ପରା,ମୁଣ୍ଡାପଡା, ତେଲିବନ୍ଧ, ଖୁଣ୍ଟବନ୍ଧ, ବଘିଆପଡା, ଶଗଡା ଭଳି ବିଭିନ୍ନ ଆରଆଇ ସର୍କଲରେ ଦେଖିବାକୁ ମିଳିଛି । ଜମି ମାଫିଆ ଓ କିଛି ନେତା ଓ ଅସାଧୁ ରାଜସ୍ବ କର୍ମଚାରୀଙ୍କୁ ପ୍ରଭାବିତ କରି ଶହ ଶହ ଏକର ଜମି ହଡପ କରିଥିବା ଅଭିଯୋଗ ହୋଇଛି । ତୁରନ୍ତ ଏ ଦିଗରେ ଜିଲ୍ଲା ପ୍ରଶାସନ ଓ ସରକାର ବିହିତ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ