ବୌଦ୍ଧ: ଚାଷୀଙ୍କ ପାଇଁ ଫିକା ପଡିଲା ନୂଆବର୍ଷ । ପୁରୁଣା ବର୍ଷ ବିଦାୟ ନେବା ପୂର୍ବରୁ ଚାଷୀଙ୍କୁ ଦେଇଗଲା ଦୁଃଖ । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୁଇ ଦିନ ପୂର୍ବରୁ ହୋଇଥିବା ଅଦିନିଆ ବର୍ଷା ଓ କୁଆପଥର ବୃଷ୍ଟିପାତ ଯୋଗୁଁ ବ୍ୟାପକ ଧାନଫସଲ ଓ ପନିପରିବା ଚାଷ ସହିତ ରବିଚାଷ ନଷ୍ଟ ହୋଇଯାଇଛି । ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ଜମିର ବର୍ଷା ପାଣି ଭିତରୁ ଚାଷୀ ବତୁରି ଯାଇଥିବା ଧାନ କେଣ୍ଡା ସଂଗ୍ରହରେ ଲାଗିପଡିଛି । ଅନେକ ସ୍ଥାନରେ ଧାନ ପଚିଯିବା ସହିତ ଗଜା ହୋଇଯାଇଥିବା ଅଭିଯୋଗ ହୋଇଛି ।
ସେହିପରି କୁଆପଥର ବୃଷ୍ଟି ଯୋଗୁଁ ଭେଣ୍ଡି, ବାଇଗଣ, ଝୁଡୁଙ୍ଗ, କୋବି,କଖାରୁ ଭଳି ପନିପରିବା ଚାଷ କରିଥିବା ଚାଷୀଙ୍କ ଦୁଃଖ ବେଶ ବଢିଯାଇଛି । ଚାଷୀ ସମବାୟ ସମିତିରୁ ଋଣ ଆଣି ଚାଷ କାର୍ଯ୍ୟରେ ବିନିଯୋଗ କରିଥିବା ବେଳେ ବର୍ତ୍ତମାନ ଉକ୍ତ ଋଣ ପରିଶୋଧ କିଭଳି କରିବେ ତଥା ବର୍ଷ ଯାକ ପରିବାରର ପେଟ କିଭଳି ପୋଷିବେ, ସେନେଇ ଚିନ୍ତାରେ ପଡିଯାଇଛନ୍ତି । ତୁରନ୍ତ ଏଦିଗରେ ଜିଲ୍ଲା ପ୍ରଶାସନ ଓ କୃଷି ବିଭାଗ ଦୃଷ୍ଟି ଦେଇ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ