ବୌଦ୍ଧ: ଦୀର୍ଘ ଦିନ ଧରି ମଣ୍ଡିରେ ଧାନ ବିକ୍ରି ନହେବା ପରେ ଶେଷ ମୂହୁର୍ତ୍ତରେ ଚାଷୀଙ୍କ ଟୋକନ ଅବଧି ଶେଷ ହୋଇଯାଇଛି । ସେପଟେ ମଣ୍ଡିର କର୍ମଚାରୀ ନିଜେ ଦଲାଲରାଜ ଚଳାଇଥିବା ଅଭିଯୋଗ ହୋଇଛି ।
ବୌଦ୍ଧ ଜିଲ୍ଲାର ବିଭିନ୍ନ ସମବାୟ ସମିତିରେ ଧାନକ୍ରୟକୁ ନେଇ ଲାଗି ରହିଛି ଅଚଳାବସ୍ଥା । ଗୋଟିଏ ପଟେ ଦୀର୍ଘ ଦିନ ଧରି ମଣ୍ଡିରେ ଧାନ ବିକ୍ରି ହୋଇନପାରି ଚାଷୀ ଦିନରାତି ଧାନ ଜଗି ରହିଥିବା ବେଳେ ବର୍ତ୍ତମାନ ଚାଷୀଙ୍କ ଟୋକନ ଅବଧି ଶେଷ ହୋଇଯିବା ସମବାୟ ବିଭାଗର ପାରିବାପଣିଆ ପଦାରେ ପଡିଛି । ଦୋଷକୁ ଲୁଚାଇବାକୁ ଯାଇ ବିଭାଗ କହିଛି ପୁଣି କିଭଳି ଚାଷୀଙ୍କ ଟୋକନ ଜେନେରେଟ ହେବ ସେନେଇ ଚେଷ୍ଟା କରାଯିବ ।
ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲାର 42 ଗୋଟି ସମବାୟ ସମିତି ମଧ୍ୟରୁ 21 ଗୋଟି ସମିତିରୁ ଶନିବାର ସୁଦ୍ଧା ପ୍ରାୟ 600 ଚାଷୀଙ୍କ ଟୋକନ ଅବଧି ଶେଷ ହୋଇଥିବା ଏଆରସିଏସଙ୍କ ନିକଟରେ ଅଭିଯୋଗ ହୋଇଛି । ତେବେ ପୁଣି କେବେ ଏହି ଚାଷୀ ମାନେ ଧାନ ଟୋକନ ପାଇବେ ଓ କେବେ ଧାନବିକ୍ରି କରିବେ ସେନେଇ ଚିନ୍ତାରେ ଚାଷୀ ।
ଗୁରୁବାର ବହିରା ମଣ୍ଡିରେ 18 ଜଣଙ୍କ ଟୋକନ ଲାପ୍ସ ଯୋଗୁଁ ସମିତି କାର୍ଯ୍ୟାଳୟରେ ଓ ଶୁଣ୍ଢିପଦର ସମିତି କାର୍ଯ୍ୟାଳୟରେ ଚାଷୀମାନେ ଉତ୍ୟକ୍ତ ହୋଇ ତାଲା ପକାଇବା ସହ ଧାରଣାରେ ବସିଥିଲେ । ତେବେ ବିଭିନ୍ନ ମଣ୍ଡିରେ କର୍ମଚାରୀ ମାନେ ଖୋଦ ଧାନଦଲାଲ ସାଜିଥିବା ଅଭିଯୋଗ ହୋଇଛି ।ଏ ସମ୍ପର୍କରେ ଏଆରସିଏସ ନିର୍ଦ୍ଦିଷ୍ଟ ଅଭିଯୋଗ ମିଳିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ତେବେ ଆଗାମୀ ଦିନରେ ଚାଷୀ କୂଳ ରାଜରାସ୍ତାକୁ ଓହ୍ଲାଇବା ନେଇ ପ୍ରସ୍ତୁତି ଚଳାଇଥିବା ସୂଚନା ମିଳିଛି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ