ବୌଦ୍ଧ: ଭୂତ କୋଠରୀରେ ପରିଣତ ହୋଇ ପଡିରହିଥିବା ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ପୁନଃ କାର୍ଯ୍ୟକ୍ଷମ ହେବ । ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ଏକ କୋଟି ୩୫ ଲକ୍ଷ ଟଙ୍କା ବ୍ୟୟରେ ବିଏମସି ସ୍ଥାପନ ହେବ । ଅନ୍ୟପଟେ ମାଛଚାଷୀଙ୍କ ପାଇଁ ମଧ୍ୟ ବର୍ତ୍ତମାନ ପ୍ରଶାସନିକ ସ୍ତରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଉଭୟ କ୍ଷେତ୍ରରେ ସରକାରୀ ଯୋଜନା ମାଧ୍ୟମରେ ହଜାର ହଜାର ପରିବାର ବର୍ତ୍ତମାନ ଆର୍ଥିକ ସ୍ତରରେ ବେଶ ସ୍ବାବଲମ୍ବୀ ହୋଇ ପାରିବେ ।
ମହାନଦୀ କୂଳରେ ଅବସ୍ଥିତ ଜିଲ୍ଲାରେ ରହିଛି ମାଛଚାଷ ଓ ଗୋପାଳନର ଏକ ବିରାଟ ସମ୍ଭାବନା । ସରକାରୀ ଯୋଜନାରେ ସାମିଲ ହୋଇ ହଜାର ହଜାର ହିତାଧିକାରୀ ବେଶ ଉପକୃତ ହୋଇ ପାରୁଛନ୍ତି । ତେଣୁ ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୀର୍ଘ ବର୍ଷରୁ ଅକାମୀ ହୋଇ ପଡିରହିଥିବା ଦୁଗ୍ଧ ଶୀତଳୀକରଣ କେନ୍ଦ୍ରକୁ ପୁନଃ କାର୍ଯ୍ୟକ୍ଷମ ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି ।
ମହାନଦୀ କୂଳରେ ଅବସ୍ଥିତ ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ହଜାର ହଜାର ହିତାଧିକାରୀ ଗୋପାଳନ ସହିତ ଦୁଗ୍ଧ ଚାଷ ମାଧ୍ୟମରେ ପରିବାର ପ୍ରତିପୋଷଣ କରିଥାନ୍ତି । ଜିଲ୍ଲାର ଲୁଣିବାହାଲ, ଖୁଣ୍ଟବନ୍ଧ, ମନମୁଣ୍ଡା, ଖୁଣ୍ଟିଗୋରା ଭଳି ସ୍ଥାନରେ ଥିବା ଦୁଗ୍ଧ ଶୀତଳୀକରଣ କେନ୍ଦ୍ରରେ ସମବାୟ ଜରିଆରେ ଚାଷୀ ଦୁଗ୍ଧ ଉପଯୁକ୍ତ ଦରରେ ବିକ୍ରି କରିପାରୁଛି । ତେବେ ଜିଲ୍ଲାର ଚାରିଛକ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ଏପରିକି ବିଶେଷକରି ବୌଦ୍ଧ ଜିଲ୍ଲା ସଦର ମହକୁମାର ଶୀତଳୀକରଣ କେନ୍ଦ୍ର ଦୀର୍ଘ ବର୍ଷ ହେଲା ବିଭିନ୍ନ କାରଣରୁ ଅଚଳ ହୋଇ ପଡିରହିଛି । ତେଣୁ ବର୍ତ୍ତମାନ ଜିଲ୍ଲାରେ ଦୁଗ୍ଧର ଚାହିଦାକୁ ଦୃଷ୍ଟିରେ ରଖି ଚାରିଛକ ସ୍ଥିତ ଏହି ଦୁଗ୍ଧ କେନ୍ଦ୍ରକୁ ପୁନଃ କାର୍ଯ୍ୟକ୍ଷମ ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି ।
ସୂଚନା ମୁତାବକ, ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ଏକ କୋଟି ୩୫ ଲକ୍ଷ ଟଙ୍କା ବ୍ୟୟରେ ବିଏମସି ସ୍ଥାପନ ହେବ । ଫଳରେ ଉକ୍ତ ଅଞ୍ଚଳର ଗୋପାଳକଙ୍କ ଦୁଗ୍ଧ ସଂଗ୍ରହ ସହିତ ସେଠାରେ ପାଞ୍ଚ ହଜାର ଲିଟର ଦୁଗ୍ଧ ସଂରକ୍ଷିତ ହୋଇପାରିବ ବୋଲି ଜଣାପଡିଛି । ପର୍ଯ୍ୟାୟ କ୍ରମେ ଜିଲ୍ଲାର ବିଭିନ୍ନ ଅଚଳ ଦୁଗ୍ଧ କେନ୍ଦ୍ର ଗୁଡିକର ପୁନରୁଦ୍ଧାର କରାଯାଇ ଜିଲ୍ଲାରେ ଦୁଗ୍ଧର ବନ୍ୟା ସୃଷ୍ଟି ସହିତ ଗୋପାଳକଙ୍କୁ ଆର୍ଥିକ ସ୍ତରରେ ସ୍ବାବଲମ୍ବୀ ପାଇଁ ଲକ୍ଷ୍ୟ ରଖାଯାଇଥିବା ନେଇ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଦୁଗ୍ଧ ଚାଷୀଙ୍କ ଭଳି ମାଛଚାଷୀଙ୍କ ପାଇଁ ମଧ୍ୟ ବର୍ତ୍ତମାନ ପ୍ରଶାସନିକ ସ୍ତରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ମହାନଦୀ ସମେତ ବିଭିନ୍ନ ପୋଖରୀ, ଗାଡିଆରେ ମାଛଚାଷ କରି ଜୀବିକା ନିର୍ବାହ କରୁଥିବା ବ୍ୟକ୍ତିଗତ ଓ ଗୋଷ୍ଠୀ ଗତ ଯୋଜନା ଜିଲ୍ଲାରେ କାର୍ଯ୍ୟ କାରୀ ହୋଇଛି । ମାଛଚାଷୀ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ମାଛ ପରିବହନ ନିମନ୍ତେ ବିଭାଗ ପକ୍ଷରୁ ରେଫ୍ରିଜରେଟର ଗାଡି, ଇନସୁଲେଟେଡ ଗାଡି, ବାଇକ ଆଇସ ବକ୍ସ, ତିନି ଚକିଆ ରିକ୍ସା ଭଳି PMMSY ଯୋଜନା ମାଧ୍ୟମରେ ବିଭିନ୍ନ ପ୍ରକାରର ସହାୟତା ପ୍ରଦାନ କରାଯାଉଛି । ଏହି ଧାରାରେ ଆନ୍ଧ୍ର ମାଛକୁ ଟକ୍କର ଦେବାକୁ ଏଣିକି ବୌଦ୍ଧ ଜିଲ୍ଲାର ମାଛଚାଷୀ ବେଶ ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି । ଏହାଛଡା ମହାନଦୀ ଫ୍ରେସ ଯୋଜନା ମାଧ୍ୟମରେ ବୌଦ୍ଧ ଅଞ୍ଚଳର ମାଛ ବିଶେଷ ଭାବରେ ମହାନଦୀର ମାଛ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପହଞ୍ଚିବା ଆଶା ପ୍ରକାଶ ପାଇଛି ।
ଇଟିଭି ଭାରତ, ବୌଦ୍ଧ