ବୌଦ୍ଧ: ଚିକିତ୍ସାଳୟ ବୁଲିଲେ ଜିଲ୍ଲାପାଳ । ଜିଲ୍ଲାର ଦୁଇ ଡାକ୍ତରଖାନା 5t ଅନ୍ତର୍ଗତ ହେବା ପରେ ପ୍ରଥମଥର ପାଇଁ ଜିଲ୍ଲାପାଳ ଚିକିତ୍ସାଳୟ ପରିଦର୍ଶନ କରିଥିଲେ । ଅଚାନକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲ ବୌଦ୍ଧ ଜିଲ୍ଲାପାଳ । ତେବେ ଚିକିତ୍ସାଳୟର ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଜିଲ୍ଲାପାଳ । ଖାଦ୍ୟର ମାନ ଓ ସ୍ବଚ୍ଛତାକୁ ନେଇ ଜିଲ୍ଲାପାଳ ଗଭୀର ଅସନ୍ତୋଷ ପ୍ରକାଶ କରିଥିବା ସୂଚନା ମିଳିଛି ।
ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ପରେ ବର୍ତ୍ତମାନ ସ୍ବାସ୍ଥ୍ୟ ସେବା ଉପରେ ଅଧିକ ଗୁରୁତ୍ବ ପ୍ରଦାନ କରିଛି ଜିଲ୍ଲା ପ୍ରଶାସନ । ଜିଲ୍ଲାର ଦୁଇଟି ସ୍ବାସ୍ଥ୍ୟ କେନ୍ଦ୍ର 5t ଅନ୍ତର୍ଗତ ହେବା ନେଇ ସୂଚନା ମିଳିଥିବା ବେଳେ ସ୍ବାସ୍ଥ୍ୟ ସେବାରେ ଅଧିକ ଉନ୍ନତି ଆଣିବାକୁ ଉଭୟ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପ୍ରଚେଷ୍ଟା କରୁଛନ୍ତି । ଏହି ସମୟରେ ହଠାତ୍ ଜିଲ୍ଲାପାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ସ୍ବାସ୍ଥ୍ୟ ସେବା ସହିତ ପାରିପାର୍ଶ୍ବିକ ବିକାଶକୁ ବୁଲି ଦେଖିଥିଲେ ।
ବୌଦ୍ଧ ଭଳି ଏକ ଛୋଟ ଜିଲ୍ଲାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ପାଞ୍ଚଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଅନ୍ୟାନ୍ୟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି । କିନ୍ତୁ ଜିଲ୍ଲାର ଭୌଗଳିକ ଅବସ୍ଥିତି ଯୋଗୁଁ ଅନେକ ଦୁର୍ଗମ ତଥା ଉପାନ୍ତ ଅଞ୍ଚଳରେ ସ୍ବାସ୍ଥ୍ୟସେବାକୁ ନେଇ ଅନେକ ସମସ୍ୟା ରହି ଆସିଛି । ଗତ କିଛିଦିନ ପୂର୍ବରୁ ସରକାରଙ୍କ ନିଷ୍ପତ୍ତି କ୍ରମେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କଣ୍ଟାମାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର 5t ଅନ୍ତର୍ଗତ ହୋଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ସେବା ଓ ପାରିପାର୍ଶ୍ବିକ ବିକାଶର ସ୍ଥିତି ଅନୁଧ୍ୟାନ ପାଇଁ ଅଚାନକ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ପହଞ୍ଚିଥିଲେ ।
ଜିଲ୍ଲାପାଳ ପ୍ରଥମେ ଡାକ୍ତରଖାନାକୁ ସଂଲଗ୍ନ ଆହାର କେନ୍ଦ୍ରରେ ପହଞ୍ଚି ସେଠାକାର ବିକାଶ ଓ ଖାଦ୍ୟର ମାନ ଯାଞ୍ଚ କରିଥିଲେ । ବୌଦ୍ଧ ନଗରପାଳଙ୍କ ସହିତ ମିଶି ଆହାର ଖାଇଥିଲେ । ତାପରେ ବୌଦ୍ଧ ଡାକ୍ତରଖାନାରେ ପହଞ୍ଚି ବିଭିନ୍ନ ଓ୍ବାର୍ଡରେ ରୋଗୀଙ୍କ ସହିତ ସିଧାସଳଖ ଆଲୋଚନା କରିଥିଲେ ଜିଲ୍ଲପାଳ । ରୋଗୀଙ୍କ ନିମନ୍ତେ ସରକାରଙ୍କ ବିଭିନ୍ନ ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି ଜିଲ୍ଲାପାଳ ତାର ତଦାରଖ ମଧ୍ୟ କରିଥିଲେ । ଜିଲ୍ଲାପାଳଙ୍କ ସହିତ ପୋଲିସ ଏସପି ରାଜ ପ୍ରସାଦ ଓ ସିଡିଏମ ଓ ପ୍ରମୁଖ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ପାଇଁ ହୋଇଥିବା ରନ୍ଧା ଖାଦ୍ୟର ମାନ ଯାଞ୍ଚ କରିବା ସହିତ ଖାଦ୍ୟ ଖାଇ ଅସନ୍ତୋଷ ପ୍ରକାଶ କରିଥିଲେ । ଖାଦ୍ୟ ପ୍ରସ୍ତୁତ ଦାୟିତ୍ବ ନେଇଥିବା ଠିକାସଂସ୍ଥାର କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇଥିଲେ ଜିଲ୍ଲାପାଳ ।ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳ ଡାକ୍ତରଖାନା ପରିସରର ସ୍ବଛତାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ସ୍ବଚ୍ଛତା ଉପରେ ଅଧିକ ଗୁରୁତ୍ବ ଦେବାକୁ ହସ୍ପିଟାଲ କର୍ତ୍ତୃପକ୍ଷରୁ ତାଗିଦ କରିଥିଲେ ।
ଇଟିଭି ଭାରତ, ବୌଦ୍ଧ