ବୌଦ୍ଧ: କୋରୋନା ସଂକ୍ରମଣ ସମ୍ପର୍କରେ ଆତଙ୍କିତ ନହୋଇ ସଚେତନ ହେବା ସହ ପ୍ରଶାସନର ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ । ବିଶେଷ ଭାବରେ ବାହାରୁ ଆସୁଥିବା ଦାଦନ ଶ୍ରମିକ ଓ ଅନ୍ୟ ରାଜ୍ୟ ତଥା ଦେଶ ବାହାରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର ରଖିଛି ଜିଲ୍ଲା ପ୍ରଶାସନ । ଏଥୁସହ ନିୟମ ନମାନିଲେ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।
ବୌଦ୍ଧ ଜିଲ୍ଲାର କେତୋଟି ପଡୋଶୀ ଜିଲ୍ଲାକୁ ସୋମବାର ଲକ୍ ଡାଉନ୍ ଘୋଷଣା କରାଯାଇଛି । ଏହାପରେ ପୂରା ସଜାଗ ହୋଇଯାଇଛି ବୌଦ୍ଧ ଜିଲ୍ଲା ପ୍ରଶାସନ । କୋରୋନା ଭାଇରସ ସଂକ୍ରମଣ ଯେଭଳି କୌଣସି ପରିସ୍ଥିତିରେ ନହୁଏ ସେନେଇ ପ୍ରଶାସନ ଦୃଢ ପଦକ୍ଷେପ ଗ୍ରହଣ କରିଛି । ଜିଲ୍ଲାର ବିଭିନ୍ନ ମନ୍ଦିର, ବଜାର, ହୋଟେଲ, ଠେଲା ବ୍ୟବସାୟ, ଉଠା ଦୋକାନ, ଭୋଜି ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇଛି ପ୍ରଶାସନ । ଏପରିକି ଗୋଟିଏ ସ୍ଥାନରେ ସର୍ବାଧିକ 7ଜଣ ହିଁ ରହି ପାରିବେ ବୋଲି କଟକଣା ଜାରି ହୋଇଛି ।
ସେହିପରି ଜିଲ୍ଲା, ରାଜ୍ୟ ତଥା ଦେଶ ବାହାରୁ ଆସୁଥିବା ସମସ୍ତ ଲୋକଙ୍କ ଉପରେ କଡା ନଜର ରଖାଯାଇଛି । ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି । ବୌଦ୍ଧ ଦୈନିକ ବଜାରକୁ ବିସ୍ତାରିତ କରିବା ପାଇଁ କେତେକ ବ୍ୟବସାୟୀଙ୍କୁ ଛାପାଖାନା ପଡିଆକୁ ସ୍ଥାନାନ୍ତର କରାଯାଇଛି । କିନ୍ତୁ ସୋମବାର କଣ୍ଟାମାଳ ବଜାରରେ ରୋକ ଲାଗିଥିବା ସତ୍ତ୍ବେ ପ୍ରବଳ ଭିଡ ସହିତ ବଜାର ବସିଥିଲା ।
କୋରୋନା ସଂକ୍ରମଣକୁ ନେଇ ଜିଲ୍ଲାବାସୀ ସଚେତନ ରହିବାକୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଆହ୍ବାନ ଦେଇଛନ୍ତି । ଏକ ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ କୋରୋନା ଭାଇରସକୁ ନେଇ ଜିଲ୍ଲା ପ୍ରଶାସନର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ । ଜିଲ୍ଲାପାଳଙ୍କ ସହିତ ଏସପି ଭି.ରଘୁନାଥ ରାଓ,ସିଡିଏମଓ ଲକ୍ଷ୍ମୀଧର ସାହୁ, ଲୋକ ସମ୍ପର୍କ ଅଧିକାରୀ ଶିଶିର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ