ବୌଦ୍ଧ: ଷ୍ଟୋନ କ୍ରସର ବିରୋଧରେ ଚାଲିଥିବା ଦୀର୍ଘ ଦିନର ଆନ୍ଦୋଳନ ଶେଷରେ ଏକ ନିର୍ଣ୍ଣାୟକ ମୋଡରେ ପହଞ୍ଚିଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅନ୍ତର୍ଗତ ଖରଭୂଇଁ ଅଞ୍ଚଳରେ ଚାରିଗୋଟି ଷ୍ଟୋନ କ୍ରସର ସ୍ଥାପନ ଯୋଗୁଁ ଅଞ୍ଚଳରେ ବ୍ୟାପକ ପରିବେଶ ପ୍ରଦୂଷଣ ସହିତ ସ୍ବାସ୍ଥ୍ୟଗତ ସମସ୍ୟା ଲାଗି ରହୁଥିଲା ।

ତେଣୁ ଅଞ୍ଚଳବାସୀ ଦୀର୍ଘ ଦିନ ହେଲା ଏସବୁ କ୍ରସର ହଟାଇବା ପାଇଁ ଧାରଣା, ବିକ୍ଷୋଭ ଶୋଭାଯାତ୍ରା, ରାସ୍ତାରୋକ ଭଳି ବିଭିନ୍ନ ଆନ୍ଦୋଳନ ଚଳାଇ ଆସୁଥିଲେ ।
ତେବେ ସେଠାରେ କ୍ରସର ବିରୋଧୀ ଓ ସପକ୍ଷବାଦୀ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଶେଷରେ ଆଜି ବୌଦ୍ଧ ଜିଲ୍ଲାପାଳ, ଏସପି ଦୁଇ ପକ୍ଷଙ୍କ ସମେତ ସ୍ଥାନୀୟ ନିର୍ବାଚିତ ଜନପ୍ରତିନିଧି ଓ କ୍ରସର ମାଲିକଙ୍କ ଉପସ୍ଥିତିରେ ଆଲୋଚନା କରିଥିଲେ ।


ପ୍ରଶାସନର ନିଷ୍ପତ୍ତି କ୍ରମେ ଆସନ୍ତା ଏକମାସ ମଧ୍ୟରେ କ୍ରସର ଗୁଡିକରେ ଗଚ୍ଛିତ ପଥର ସରିବା ପରେ ଉକ୍ତ କ୍ରସର ଗୁଡିକୁ ବନ୍ଦ କରି ଅନ୍ୟତ୍ର ସ୍ଥାନାନ୍ତର କରାଯିବ । ନିଷ୍ପତ୍ତିକୁ ଅଞ୍ଚଳବାସୀ ସେମାନଙ୍କ ନୈତିକ ବିଜୟ ବୋଲି ସୂଚନା ଦେବା ସହ ପ୍ରଶାସନର ପଦକ୍ଷେପକୁ ସ୍ବାଗତ କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ