ବୌଦ୍ଧ: ମହାମାରୀ କୋରୋନା ପାଇଁ ଚାରିଆଡେ ଆତଙ୍କ ଥିବାବେଳେ +2 ଛାତ୍ରଛାତ୍ରୀଙ୍କୁ ସ୍କାର୍ଡ ଆତଙ୍କ ଘାରିଛି । ବୌଦ୍ଧରେ ଯୁକ୍ତଦୁଇ ପରୀକ୍ଷା ଯାଞ୍ଚ ବେଳେ ସ୍କାର୍ଡ ଅଧିକାରୀଙ୍କୁ କଲେଜର କର୍ମଚାରୀଙ୍କ ସହାୟତାରେ ଘେରିଥିଲେ ଛାତ୍ରଛାତ୍ରୀ । ପରିସ୍ଥିତି ଉତ୍ତେଜନାମୂଳକ ହେବା ପୂର୍ବରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନୟନ୍ତ୍ରଣ କରିଥିଲା ।
ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପରୀକ୍ଷାର ବୁଧବାର ପଞ୍ଚମ ଦିନ ଥିଲା । ପରୀକ୍ଷାର ଦ୍ବିତୀୟ ବେଲ ବାଜିବା ପରେ ହଠାତ ପହଞ୍ଚିଥିଲେ ବୋର୍ଡର କାଉନସିଲ ସ୍କ୍ବାର୍ଡ । ସରକାର ଜାରି କରିଥିବା ନିୟମ ଅନୁଯାୟୀ ଏଠାରେ ପ୍ରଶ୍ନପତ୍ରରେ କିଛି ଲେଖାଲେଖି ହୋଇଥିବା ନେଇ କେତେକ ଛାତ୍ରଛାତ୍ରୀଙ୍କୁ ବୁକ କରିଥିଲେ ବୋର୍ଡ ସ୍କାର୍ଡ । ଏହାକୁ ନେଇ ଆରମ୍ଭ ହୋଇଥିଲା ଉତ୍ତେଜନା । ଘଟଣାକୁ କିଛି କର୍ମଚାରୀ ଯୁକ୍ତିଯୁକ୍ତ ଦର୍ଶାଉଥିବା ବେଳେ ଆଉ କିଛି ଏହାକୁ ବିରୋଧ କରିଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ ଫାଟକରେ ତାଲା ପକାଯାଇଥିଲା। କୌଣସି ଅଘଟଣ ହେବା ପୂର୍ବରୁ କଲେଜର ପ୍ରଶାସନିକ ଅଧିକାରୀ ଏଡିଏମ ସୂର୍ଯ୍ୟ ନାରାୟଣ ଦାସ ଓ ବୌଦ୍ଧ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ଏ ସମ୍ପର୍କରେ କାଉନସିଲ ନିଷ୍ପତ୍ତି ନେବ ବୋଲି ବରିଷ୍ଠ ସ୍କାର୍ଡ ଅଧିକାରୀ କହିଛନ୍ତି ।
ତେବେ କଲେଜରେ କିଭଳି ଓ କେଉଁ ପରିସ୍ଥିତିରେ ଏତେବଡ ଅଘଟଣ ଘଟିଲା ତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଥିରେ କୌଣସି କର୍ମଚାରୀଙ୍କ ସମ୍ପୃକ୍ତି ନା କଲେଜ ବଦନାମ ପାଇଁ ଷଡଯନ୍ତ୍ର ହୋଇଛି ତାହା ତଦନ୍ତ ସାପେକ୍ଷ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ