ବୌଦ୍ଧ: ସୁନ୍ଦରକଣି ବାଉଁଶ ନିମନ୍ତେ ବୌଦ୍ଧ ଜିଲ୍ଲାର ଜଳବାୟୁ ସମ୍ପୂର୍ଣ୍ଣ ଉତ୍କୃଷ୍ଟ । ଜିଲ୍ଲାର ବାଉଁଶ କାରିଗରଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ଏମାନଙ୍କୁ ସହଯୋଗର ହାତ ବଢାଇଛି ବୌଦ୍ଧ ବନଖଣ୍ଡ ।
ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ସ୍ଥାନରେ ବସବାସ କରୁଛନ୍ତି ବେତେରା ଓ ଅନ୍ୟ ଜନଜାତି ସଂପ୍ରଦାୟ । ବାଉଁଶରେ ବିଭିନ୍ନ ସାମଗ୍ରୀ ହାତରେ ତିଆରି ସହ ଏଗୁଡ଼ିକୁ ନେଇ ବିଭିନ୍ନ ସାପ୍ତାହିକ ହାଟରେ ବିକ୍ରି କରି ପରିବାର ପ୍ରତିପୋଷଣ କରିବା ଏମାନଙ୍କ କୌଳିକ ବୃତ୍ତି । କିନ୍ତୁ ବର୍ତ୍ତମାନ ସମୟରେ ବାଉଁଶର ଅଭାବ ଏମାନଙ୍କ କୌଣସି ବୃତ୍ତି ଉପରେ ଗଭୀର ପ୍ରଭାବ ପକାଇଛି ।
ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ତଥା ସେହି ବାଉଁଶ କାରିଗରଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି କରିବା ଉଦ୍ଦେଶ୍ୟରେ ରାଜ୍ୟ ବାଉଁଶ ଉନ୍ନୟନ ବିଭାଗ ପକ୍ଷରୁ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ କିଭଳି ସୁନ୍ଦର କଣି ବାଉଁଶ ଲଗାଯାଇ ତାର ସୁଫଳ କାରିଗର ପାଇପାରିବେ ସେନେଇ ଚେଷ୍ଟା ଆରମ୍ଭ ହୋଇଛି । ଏଥିପାଇଁ ବାଉଁଶ କାରିଗର ମାନଙ୍କୁ ସ୍ବତନ୍ତ୍ର ତାଲିମ ପ୍ରଦାନ କରାଯାଇ ସେମାନେ କିଭଳି ଗଛ ଲଗାଇବେ ଓ ତାର ବ୍ୟବହାର କରି ନିଜର ଆର୍ଥିକ ଅବସ୍ଥାକୁ ସୁଧାରି ପାରିବେ ସେ ସମ୍ପର୍କରେ ବୁଝାଯାଇଥିଲା ।
ବୌଦ୍ଧ ବନଖଣ୍ଡ ଅଧିନରେ ଥିବା ବାମଣ୍ଡା ନର୍ସରୀରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ବାଉଁଶ କାରିଗର ମାନଙ୍କୁ ଡିଏଫଓ ଯଶୋବନ୍ତ ସେଠୀ,ରେଞ୍ଜର ଆଶିଷ କହଁର, କୃଷି ଅଧିକାରୀ ପ୍ରମୁଖ ଉପସ୍ଥିତ ରହି କିଭଳି ଏହି ଯୋଜନାର ଫାଇଦା ଉଠାଇ ପାରିବେ ସେ ସମ୍ପର୍କରେ ଅବଗତ କରାଇଥିଲେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ