ବୌଦ୍ଧ: ଅନ୍ଧବିଶ୍ବାସର ଅନ୍ଧଗଳିରେ ଏବେବି ମଣିଷ । ସୁନାହଣ୍ଡା ପାଇବା ଆଶାରେ ମଧ୍ୟରାତ୍ରିରେ ଚାଲିଥିଲା ତନ୍ତ୍ରମନ୍ତ୍ର । ହେଲେ ଗ୍ରାମବାସୀ ସେମାନଙ୍କୁ କାବୁ କରି ପୋଲିସରେ ଜିମା ଦେଇଛନ୍ତି ।
ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅନ୍ତର୍ଗତ କରଞ୍ଜକଟା ଗ୍ରାମରେ ଗତ ଦୁଇ ଦିନ ପୂର୍ବରୁ ସୁନା ହଣ୍ଡା ମିଳିବା ଆଶାରେ ଗାଁର ଗୋଟିଏ ପରିବାର ସହିତ ଗଞ୍ଜାମ, କନ୍ଧମାଳ ଓ ଢେଙ୍କାନାଳ ଜିଲ୍ଲାର କିଛି ଲୋକ ମିଶି ମଧ୍ୟ ରାତ୍ରିରେ ଗୁପ୍ତ ପୂଜା ଆରମ୍ଭ କରି ମାଟି ଖୋଳୁଥିଲେ । ଏହି ସମୟରେ କେତେକ ଗ୍ରାମବାସୀ ପହଞ୍ଚି ଯିବାରୁ ସମ୍ପୃକ୍ତ ମାଟି ଖୋଳୁଥିବା ଲୋକେ ମାରଣାସ୍ତ୍ର ଦେଖାଇବାରୁ ସନ୍ଦେହ ଆହୁରି ଘନୀଭୂତ ହୋଇଥିଲା । ଶେଷରେ ଗ୍ରାମବାସୀ ସେମାନଙ୍କୁ କାବୁ କରି ପୁରୁଣା କଟକ ପୋଲିସରେ ଜିମା ଦେଇଥିଲେ । ତେବେ ଘଟଣାର ଅନୁସନ୍ଧାନ କରି ଏକ ଡକାୟତି ପାଇଁ ଯୋଜନା ହେଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଘଟଣାରେ ଜଣେ ସୁରକ୍ଷା ବିଭାଗର କର୍ମଚାରୀ ଓ ଜଣେ ମହିଳା ସମେତ ଦଶ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବୌଦ୍ଧ ଏସପି ଭି ରଘୁନାଥ ରାଓ ସୂଚନା ଦେଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ