ବୌଦ୍ଧ: ଜିଲ୍ଲାର କଣ୍ଟାମାଳ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ଫଳରେ ଲୋକଙ୍କ ନିକଟରେ ପହଞ୍ଚି ପାରୁନି ସରକାରଙ୍କ ବିକାଶମୂଳକ ଯୋଜନା । ଆବାସ ଯୋଜନାଠାରୁ ଆରମ୍ଭ କରି ରାସନ, ଗମନାଗମନ, ପାନୀୟଜଳ, ସାମାଜିକ ସୁରକ୍ଷା ଭଳି ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି ପ୍ରକୃତ ହିତାଧିକାରୀ । ଅନେକ ଅଞ୍ଚଳରେ ଜଳସେଚନଠାରୁ ନେଇ ରାସ୍ତା ଘାଟର ସମସ୍ୟା ଯୋଗୁଁ ସ୍ବାସ୍ଥ୍ୟସେବା ମଧ୍ୟ ଗଭୀର ଭାବେ ପ୍ରଭାବିତ ହେଉଛି । ବ୍ଲକର କେତେକ ନିର୍ଦ୍ଦିଷ୍ଟ ପଞ୍ଚାୟତରେ ଦୁର୍ନୀତି ଚରମ ଶିଖରରେ ପହଞ୍ଚିଥିବା ଅଭିଯୋଗ ହୋଇଛି ।
ବୌଦ୍ଧ ଜିଲ୍ଲାର ଚବିଶ ଗୋଟି ପଞ୍ଚାୟତ କୁ ନେଇ ଗଠିତ ହୋଇଛି କଣ୍ଟାମାଳ ବ୍ଲକ । ବ୍ଲକର କେତେକ ନିର୍ଦ୍ଦିଷ୍ଟ ପଞ୍ଚାୟତରେ ଦୁର୍ନୀତି ଚରମ ଶିଖରରେ ପହଞ୍ଚି ଥିବା ଅଭିଯୋଗ ହୋଇଛି । କେତେକ ପଞ୍ଚାୟତରେ ଆବାସ, ରାସନ, ଗମନାଗମନ, ପାନୀୟଜଳ, ସାମାଜିକ ସୁରକ୍ଷା ଭଳି ସରକାରୀ ଯୋଜନାରେ ବ୍ୟାପକ ସମସ୍ୟା ତଥା ଦୁର୍ନୀତି ହେଉଛି । ବ୍ଲକର ଖୁଣ୍ଟିଗୋରା, ବରଗୋଛା, ଲମ୍ବସରୀ, ରେଙ୍ଗାଲୀ, ଉମା, ମନମୁଣ୍ଡା, ଯୋଗୀନ୍ଦ୍ରପୁର ଭଳି ବିଭିନ୍ନ ପଞ୍ଚାୟତରେ ଆବାସ ଯୋଜନା ଓ ସାମାଜିକ ସୁରକ୍ଷା ଯୋଜନାରେ ବ୍ୟାପକ ସମସ୍ୟା ପରିଲକ୍ଷିତ ହୋଇଛି ।
ମିଶନ ଶକ୍ତି ଓ ମହିଳା ସଶକ୍ତିକରଣ ବ୍ଲକରେ ପଛୁଆ ରହିଥିବା ବେଳେ ବ୍ଲକର ବିଭିନ୍ନ ପଞ୍ଚାୟତରେ ଦୁର୍ନୀତି ଯୋଗୁଁ ଅନେକ ବିକାଶ ମୂଳକ କାର୍ଯ୍ୟ ଆଗେଇ ପାରୁନଥିବା ଚର୍ଚ୍ଚା ହେଉଛି । ଖୋଦ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଏଭଳି ଅନିୟମିତତା ଓ ଦୁର୍ନୀତି ଖୋର ସରକାରୀ ବାବୁଙ୍କ ବିରୋଧରେ କଠୋର ଆଭିମୁଖ୍ୟ ପ୍ରଦର୍ଶନ କରୁଛନ୍ତି । ଯାହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି । ତେବେ କଣ୍ଟାମାଳ ବ୍ଲକର ବିକାଶ ପାଇଁ ଏହାକୁ ପୌରାଞ୍ଚଳରେ ପରିଣତ ପାଇଁ ଦୀର୍ଘ ବର୍ଷ ହେଲା ଦାବି ହୋଇ ଆସୁଛି ।
ନିକଟରେ ଦୁର୍ନୀତି ଓ ଅନିୟମିତତା ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲେ ଜିଲ୍ଲାପାଳ । ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ହେଉଥିବା ଅନିୟମିତତା ଜିଲ୍ଲାପାଳଙ୍କ ଦୃଷ୍ଟି ଗୋଚର ହେବା ପରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଅନିୟମିତତାକୁ ନେଇ କଣ୍ଟାମାଳ ତହସିଲ କାର୍ଯ୍ୟାଳୟ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଦୁଇ କର୍ମଚାରୀଙ୍କ ଦରମା ବନ୍ଦ କରିଥିଲେ ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ଆକ୍ସନ ମୋଡକୁ ନେଇ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଥିବା ବେଳେ ବିଭିନ୍ନ ମହଲରେ ଏହାକୁ ସ୍ବାଗତ କରାଯାଇଛି ।
ଇଟିଭି ଭାରତ, ବୌଦ୍ଧ